କୋଟୁଆଁ ଗ୍ରାମର ଚିରକାଳ ଜମିରୁ ମାଟି ଉଠା ବିବାଦ ଘନେଇଲା, ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

କଟକ ସଦର,୨୬/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ କୋଟୁଆଁ ଗ୍ରାମର ଚିରକାଳ ଜମିରୁ ମାଟି ଉଠାଣକୁ ନେଇ ଲାଗିରହିଥିବା ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନୀଭୂତ ହେଉଥିବା ଜଣାପଡିଛି। ଲୋକଙ୍କ ଦାନାପାଣି ସମସ୍ୟାର ସମାଧାନ କରିବା ପରିବର୍ତେ ଜଳସେଚନ ବିଭାଗ ଠିକାଦାର ଙ୍କ ଠିକାଦାର ସାଜି କ୍ଷତିଗ୍ରସ୍ତ ଚାଷୀଙ୍କୁ ପୋଲିସର ଭୟ ଓ ଧମକ ଚମକ ଦେଵା ବିବାଦକୁ ଆହୁରି ଅଧିକ ଜଟିଳ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଗ୍ରାମବାସୀମାନେ ଆଜି ସୋମବାର ଦିନ ତହସିଲ କାର୍ଯ୍ୟାଳୟକୁ ଯାଇଁ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ସମୀକ୍ଷା ପାଣିଙ୍କୁ ଦାଵି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ତାଳଦଣ୍ଡା କେନାଲ ବନ୍ଧ କଡରେ ଥିବା ୨୬ ଏକର ଚିରକାଳ ଜମିକୁ କେଉଁ ଅନାଦି କାଳରୁ କୋଟୁଆଁ ଗ୍ରାମବାସୀମାନେ ଲିଜ୍ ସୂତ୍ରରେ ନେଇ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ। ଏଵେ କିଛି ବର୍ଷ ହେଲା ସେମାନଙ୍କୁ ଲିଜ୍ ଦିଆନଯାଇ କେଵଳ ଜବରଦଖଲ ମାମଲା ଆଳରେ ତହସିଲ ପ୍ରଶାସନ ଜୋରିମାନା ଆକାରରେ ରାଜସ୍ବ ଆଦାୟ କରି ପ୍ରତିବର୍ଷ ପାଉତି ଦେଇ ଆସୁଛନ୍ତି। ହେଲେ କାହାକୁ କିଛି ନଜଣାଇ ମାଟି ମାଫିଆ ମାନେ ଦଖଲକାରୀଙ୍କ ଜମିରୁ ଜୋର ଜବରଦସ୍ତି ମାଟି ଉଠାଉଥିବାରୁ ଗ୍ରାମବାସୀଙ୍କ ଵିରୋଧର ଶିକାର ‌ହୋଇ ଫେରିଯାଇଥିଲେ। ଅନ୍ୟପକ୍ଷରେ ଉକ୍ତ କେନାଲ ବନ୍ଧ ରାସ୍ତାର ସଂପ୍ରସାରଣ ପାଇଁ ରାସ୍ତାର ଗୋଡା ନଷ୍ଟ କରି ଚିରକାଳ ଜମିରୁ ମାଟି ଉଠାଇଵାକୁ ଟେଣ୍ଡର ପ୍ରକ୍ରିୟାରେ ଵ୍ୟଵ୍ୟସ୍ଥା ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *