ଜିଲ୍ଲା ସ୍ତରୀୟ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ

“ଜଣେ ଯୁଗନାୟକ ଭାବେ ଚିର ସ୍ମରଣୀୟ ହୋଇ ରହିବେ ଅଟଳଜୀ”

 ଅଟଳ ସ୍ମୃତି କବିତା ପାଠୋତ୍ସବ ଆୟୋଜିତ

ଜଗତସିଂହପୁର,୨୫/୧୨/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ନିର୍ବାହୀ ଅଧିକାରୀ,ପୌର ପରିଷଦ ଜଗତସିଂହପୁର ଶ୍ରୀମତୀ ସୀମା ଜେନା ଓ କବୟିତ୍ରୀ ମହାସ୍ମିତା ଓଝା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ  କବି ଓ କବୟିତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ଓ ପରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଅତିଥି ମାନଙ୍କୁ ପୁଷ୍ପ କୁଣ୍ଡ ଦେଇ ସ୍ୱାଗତ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ, ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ । କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନୁହେଁ ଜଣେ କବି, ସମାଜସେବୀ ଓ ରାଷ୍ଟ୍ରନିତିଜ୍ଞ ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। କୃଷି, ସ୍ବାସ୍ଥ୍ୟ ଓ ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସ୍ୱର୍ଣ୍ଣ ଚତୁର୍ଭୁଜ ରାଜପଥ ଯୋଜନା ପାଇଁ ତାଙ୍କ ଅବଦାନ ମଧ୍ୟ ଅତୁଳନୀୟ । ଓଡ଼ିଶା ପ୍ରତି ତାଙ୍କ ସେବା ମଧ୍ୟ ସ୍ମରଣୀୟ। ତାଙ୍କ ଜନ୍ମ ଜୟନ୍ତୀ ରେ ସୁଶାସନ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସମାଜ ର ଶେଷ ଭାଗ ର ଲୋକଙ୍କ ପାଖେ ସୁବିଧା ପହଞ୍ଚାଇବା ଓ ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି । ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କୁ ସେବା ଯୋଗାଇଦେବା ଦିଗରେ ସର୍ବଦା ସଚେତନ ରହିବା ଆବଶ୍ୟକ ବୋଲି ସେ କହିଥିଲେ ।

ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ମଧ୍ୟ ସୁଶାସନ ଦିବସ ର ମହତ୍ତ୍ୱ ପ୍ରତିପାଦିତ କରି କହିଥିଲେ ଯେ ଶାସନ ବ୍ୟବସ୍ଥା ସଠିକ୍ ରହିଲେ ସମସ୍ତ ନାଗରିକ ମଧ୍ୟ ସଚେତନ ରହିବେ । କୃତୀ ପ୍ରତିଯୋଗୀ ଆଦ୍ୟାଶା ସ୍ୱାଇଁ ଓ ଆଶୁତୋଷ ପରିଡ଼ା ଅଟଳଜୀ ଙ୍କ ଜୀବନୀ  ଓ ନୀତି ଆଦର୍ଶ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ପରେ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳନ ଉପଲକ୍ଷେ ହାଇସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

 ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ଵାଗତ ଭାଷଣ ଦେବାସହ ନିଜ ଅଭିଭାଷଣ ରଖିଥିଲେ । ପରିଶେଷରେ ନିର୍ବାହୀ ଅଧିକାରୀ, ପୌର ପରିଷଦ ଶ୍ରୀମତୀ ସୀମା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ  ଜଗତସିଂହପୁର ସାହିତ୍ୟ ପରିଷଦ ର ବିଶିଶ୍ଟ ସାହିତ୍ୟ ପ୍ରେମୀ କବି ଡ ସୁରେନ୍ଦ୍ର ନାଥ ତ୍ରିପାଠୀ, ଶରତ ମହାପାତ୍ର, ବଂଶୀଧର ବେହେରା, ମହାସ୍ମିତା ଓଝା, ମନୋରମା ଦାସ,  ଶେଷଦେବ ଛୋଟରାୟ, ଗଣେଶ ମହାନ୍ତି, ପଞ୍ଚାନନ ପଲାଇ, ନୀଳକଣ୍ଠ ମିଶ୍ର, ସୁଭାଷ ଚନ୍ଦ୍ର ରାଉତ, ରବୀନ୍ଦ୍ର ମଲ୍ଲିକ, ରମେଶ ବହିରା, ମମତା ଦାସ ଓ ପୂର୍ଣ୍ଣ ମିଶ୍ର  ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ତହସିଲଦାର ଓ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମକର୍ତ୍ତା, ସହର ର ବୁଦ୍ଧିଜୀବୀ, ଆଇନଜୀବୀ, ମହିମା କଲେଜ୍ ଅଫ୍ ନର୍ସିଂ ର ଛାତ୍ରୀ ମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ, ପୌର ପରିଷଦ ର କର୍ମ କର୍ତ୍ତା ଓ ସ୍ୱଚ୍ଛ ସାଥୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *