ସାକ୍ଷୀଗୋପାଳ ମନ୍ଦିର ରୁ ଚୋରି ଘଟଣାର ପର୍ଦ୍ଧାଫାସ, ୨ ଗିରଫ, ଚୋରି ଜିନିଷ ଉଦ୍ଧାର

ସାକ୍ଷୀଗୋପାଳ, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)-ସାକ୍ଷୀଗୋପାଳ ମନ୍ଦିରରୁ ଶନିବାର ବିଳମ୍ବିତ ରାତ୍ରିରେ ଏକ ସିରିଜ ଚୋରି ହୋଇଥିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ସତ୍ୟବାଦୀ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ସତ୍ୟବାଦୀ ଥାନାରେ ୪୨୮/୨୩ ରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ କିଛି ଦୁର୍ବୁର୍ତ୍ତ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ହୁଣ୍ଡି ରୁ ଠାକୁରଙ୍କର ସୁନା ଅଳଙ୍କାର ପାଉଂଜି, କୁଣ୍ଡଳ, କିରିଟି,ବେକ ହାର ସହିତ ଟଙ୍କା ପଇସା ଚୋରି କରି ନେଇଯାଇଥିଲେ । ସେହିଭଳି ମୁଖ୍ୟ ମନ୍ଦିର ପରିସରରେ ତମାଳ ଗଛ ମୂଳେ ଥିବା ହୁଣ୍ଡୀ ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଥିଲେ କ୍ଷ ଏହା ବାଦ ମନ୍ଦିର ସୁପରଭାଇଜର ଅଫିସ ରୁ ତାଲା ଭାଙ୍ଗି ଉକ୍ତ ରୁମରେ ଥିବା ସିସିଟିଭି କ୍ୟାମେରା ମନିଟର ଓ ଏକ ମାଇକ ସାଉଣ୍ଡର ଅମ୍ପ୍ଲିଫାଇୟାର ଟିକୁ ନେଇଯାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୋରମାନେ ମନ୍ଦିର ମଧ୍ୟରେ ରାତ୍ର ଗୋଟାଏ ରୁ ତିନିଟା ମଧ୍ୟରେ ଚୋରି କରିଥିଲେ । ଚୋରି ସ୍ଥାନ ଠାରୁ ମାତ୍ର କୋଡିଏ ଫୁଟ ଦୂରରେ ଦୁଇଜଣ କର୍ମଚାରୀ ରାତ୍ର ଜଗୁଆଳ ଭାବେ ମନ୍ଦିର ପରିସରରେ ଥିଲେ ମଧ୍ୟ ସେମାନେ ଏତେ ବଡ଼ ଚୋରୀ ସମ୍ପର୍କରେ କୌଣସି ସୁରାକ ପାଇପାରିନଥିଲେ। ରାତ୍ର ୩ଟାରେ ଠାକୁରଙ୍କ ନୀତିକାନ୍ତି ନିମନ୍ତେ ଜୈନିକ କର୍ମଚାରୀ ମନ୍ଦିର ମୂଖ୍ୟ ଦ୍ଵାର ଖୋଲି ଭିତରକୁ ଯାଇ ଦେଖିଲେ ମଦନମୋହନ ଙ୍କ ଦ୍ୱାର ସମ୍ପୂର୍ଣ୍ଣ ଖୋଲା ରହିଛି ।ଏଥିରେ ସନ୍ଦେହ ହେବାରୁ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସକ ବିଶ୍ୱବାସୀ ତ୍ରିପାଠୀଙ୍କୁ ଅବଗତ କରାଇଥିଲେ । ଖବର ପାଇ ମନ୍ଦିର ପ୍ରଶାସକ ଘଟଣା ସ୍ଥଳରେ ପହଞ୍ଚି ସତ୍ୟବାଦୀ ପୋଲିସି କୁ ଖବର ଦେଇଥିଲେ । ଘଟଣା କୁ ଗୁରୁତର ସହ ନେଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଙ୍କ ଯୋଗାଯୋଗ କ୍ରମେ ଅତିରିକ୍ତ ଏସପି ବିଷ୍ଣୁପ୍ରସଦ ପତି ଓ ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଫରେନସିକ ଟିମ ଓ ସନ୍ଧାନୀ କୁକୁର କୁ ମଧ୍ୟ ନିୟୋଜିତ କରାଯାଇଥିଲା । ତଦନ୍ତ ସମୟରେ ତଦନ୍ତ କାରୀଟିମ ସତ୍ୟବାଦୀ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର କଳାକୃଷ୍ଣ ମିଶ୍ରଙ୍କ ପୁଅ ଶ୍ରୀଧର ମିଶ୍ର (ଲିପା) ୩୨ ଓ ତାର ସହଯୋଗୀ ସ୍ଥାନୀୟ ବାଲିସାହି ଗ୍ରାମର ସଦାଶିବ ମିଶ୍ରଙ୍କ ପୁଅ ମୁନା ମିଶ୍ର ୨୩ କୁ ସନ୍ଦେହ ଘେରକୁ ଆଣିଥିଲେ । ପରେ ପୋଲିସ ଉଭୟ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଉଭୟ ଅଭିଯୁକ୍ତ ସତ୍ୟବାଦୀ ଥାନାରେ ଜେରା ସମୟରେ ନିଜେ ଚୋରି କରିବାକଥା ମାନିବା ସହ ଚୋରିକରିଥିବା ଟଙ୍କା , ରେଜା ପଇସା ଓ ଠାକୁରଙ୍କ ମୂଲ୍ୟବାନ ଅଳଙ୍କାରକୁ ପୋଲିସ ଉଦ୍ଧାର କରିଥିଲା । ଅଭିଯୁକ୍ତ ମାନେ ଚୋରି କରିବା ସମୟରେ ବ୍ୟବହାର କରିଥିବା ଏକ ଅଟୋ ରିକ୍ସା ଓଡ଼ି ୦୨ ସିଏଲ ୨୦୯୧ କୁ ଜବତ କରିଛି। ସେମାନଙ୍କ ନିକଟରୁ ୬୭,୧୧୦ ଟଙ୍କାର ନଗଦ ଅର୍ଥ ରାଶି , ୨୦୮ ଗ୍ରାମର ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ,ସିସିଟିଭି ମନିଟର , ଚେକ ବୁକ ଜବତ କରାଯାଇଛି। ମୂଖ୍ୟ ଅଭିଯୁକ୍ତ ଶ୍ରୀଧର ମିଶ୍ର (ଲିପା) ନାମରେ ସତ୍ୟବାଦୀ ଥାନାରେ ପୂର୍ବରୁ ୮ ଟି ମାମଲା ରହିଛି । ସେହିଭଳି ମୁନା ମିଶ୍ର ନାଁରେ ତିନିଟି ମାମଲା ରହିଛି । ଏମାନେ ପେଷାଦାର ଅପରାଧି ବୋଲି ପୋଲିସି ପ୍ରକାଶ କରିଛି । ଉଦ୍ଧାର ଅଳଙ୍କାର ,ଟଙ୍କା ଓ ଅନ୍ୟ ସାମଗ୍ରୀ କୁ ମନ୍ଦିର ପ୍ରଶାସକ ଓ ପୂଜକ ଙ୍କୁ ପ୍ରଦାନ କରାଯାଇଛି। ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *