ଲୋକ ଭବନରେ ସୁଶାସନ ଦିବସ ପାଳିତ

ଦେଶ ନିର୍ମାଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ମହନୀୟ ଅବଦାନକୁ ସ୍ମରଣ କରିଲେ ରାଜ୍ୟପାଳ

ଭୁବନେଶ୍ୱର,୨୫/୧୨/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଦେଶ ନିର୍ମାଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ମହନୀୟ ଅବଦାନ ରହିଛି ବୋଲି ରାଜ୍ୟପାଳ କହିଛନ୍ତି । ଗୁରୁବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଲୋକ ଭବନ ପରିସରରେ ଅଭିଷେକ ହଲ୍‌ରେ ଆୟୋଜିତ ସୁଶାସନ ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି  ।

ଭାରତର ବିକାଶ ଯାତ୍ରାରେ ବିଶେଷକରି ଭିତ୍ତିଭୂମି, ସଂଯୋଗ ଏବଂ ସୁଶାସନ ପ୍ରତିଷ୍ଠା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ବାଜପେୟୀଙ୍କ କାର୍ଯ୍ୟକାଳ ଏକ ରୂପାନ୍ତରକାରୀ ପର୍ଯ୍ୟାୟ ଥିଲା ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି।

ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜ୍ୟପାଳ କହିଥିଲେ ଯେ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ, ଜାତୀୟ ରାଜପଥର ବ୍ୟାପକ ସମ୍ପ୍ରସାରଣ ଓ ସାରା ଦେଶରେ ଚାରି ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ସହ ସ୍ବର୍ଗତ ବାଜପେୟୀଙ୍କ ନାମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରାଜ୍ୟପାଳ କହିଥିଲେ ଯେ ଏହି ପଦକ୍ଷେପ କେବଳ ଯୋଗାଯୋଗକୁ ବୃଦ୍ଧି କରିନାହିଁ ବରଂ ଅନେକ କ୍ଷେତ୍ରରେ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିଛି। ଆଜି ମଧ୍ୟ ଏହି ରାଜପଥ ଗୁଡିକ ସହିତ ଜଡ଼ିତ ଅଞ୍ଚଳର ଲୋକମାନେ ନିଜର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଉନ୍ନତ ଗତିଶୀଳତାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିଭଙ୍ଗୀ ସହିତ ଯୋଡ଼ି ଦେଖନ୍ତି ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ।

ଗ୍ରାମାଞ୍ଚଳ ବିକାଶ ପାଇଁ ସ୍ବର୍ଗତ ବାଜପେୟୀଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ରାଜ୍ୟପାଳ କହିଲେ ଯେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗୀକରଣ ସୁନିଶ୍ଚିତ କରିବା ସହିତ ଗ୍ରାମାଞ୍ଚଳ ଅର୍ଥନୀତିରେ ପରିବର୍ତ୍ତନ ଆଣିବା ଏବଂ ଦୁର୍ଗମ ଅଞ୍ଚଳକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ନଦୀ ସଂଯୋଗୀକରଣ ପ୍ରକଳ୍ପ ସମେତ ଦୀର୍ଘମିଆଦୀ ବିକାଶମୂଳକ ଯୋଜନା ଉପରେ ସ୍ବର୍ଗତ ବାଜପେୟୀଙ୍କ ଭୂମିକା ଉପରେ ରାଜ୍ୟପାଳ ଅବତାରଣା କରିଥିଲେ। ଏଥିପାଇଁ ଏକ ସମର୍ପିତ ଟାସ୍କଫୋର୍ସ ଗଠନ କରାଯାଇଥିଲା ଏବଂ ରାଜ୍ୟପାଳ ନିଜେ ଏହି ଟାସ୍କ ଫୋର୍ସର ସଦସ୍ୟ ହେବାର ସୌଭାଗ୍ୟ ପାଇଥିଲେ ବୋଲି କହିଥିଲେ  ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ, ପ୍ରଗଳ୍ଭ ବକ୍ତା ଏବଂ ଦଳୀୟ ଶୃଙ୍ଖଳା ମଧ୍ୟରେ ସମ୍ମାନର ଅଧିକାରୀ ଜନ ନେତା ଭାବେ ରାଜ୍ୟପାଳ ବର୍ଣ୍ଣନା କରିଥିଲେ। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀ ସମାବେଶୀ ବିକାଶ ଏବଂ ସୁଶାସନର ଏକ ଚିରନ୍ତନ ପରମ୍ପରା ଛାଡି ଯାଇଛନ୍ତି ଯାହା ଦେଶକୁ ପ୍ରେରଣା ଯୋଗାଇ ଆସୁଛି।

ଏହି ଅବସରରେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ଲୋକ ଭବନର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

-0-

ଐଶ୍ୱର୍ଯ୍ୟା ସାମନ୍ତ, ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *