କେନ୍ଦ୍ରାପଡ଼ା, ୨୬/୦୮/୨୦୨୬ (ଓଡ଼ିଶା ସମାଚାର)- ପବିତ୍ର ରକ୍ଷାବନ୍ଧନ ଅବସରରେ କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଏକ ନିଆରା ଓ ଭାବପୂର୍ଣ୍ଣ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଏସ୍ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରୀମାନେ ଏସ୍ପି ଓ ଡିଏସ୍ପିଙ୍କ ସମେତ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।ଏହି ଅବସରରେ ଛାତ୍ରୀମାନେ ପୋଲିସ କର୍ମଚାରୀଙ୍କୁ ଭାଇ ଭାବେ ସମ୍ମାନ ଜଣାଇ ସେମାନଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ । ଅନ୍ୟପକ୍ଷରେ ସମାଜର ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷା ପାଇଁ ପୋଲିସ ବାହିନୀ ନିରନ୍ତର କରୁଥିବା ସେବା ପାଇଁ ବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା ।
ରକ୍ଷାବନ୍ଧନ କେବଳ ଭାଇ-ଭଉଣୀର ସମ୍ପର୍କର ପର୍ବ ନୁହେଁ, ବରଂ ପରସ୍ପର ପ୍ରତି ସ୍ନେହ, ସମ୍ମାନ, ସୁରକ୍ଷା ଓ ଦାୟିତ୍ୱର ପ୍ରତୀକ । ଛାତ୍ରୀମାନଙ୍କ ଏହି ପଦକ୍ଷେପ ମାଧ୍ୟମରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ସ୍ନେହ ଓ ବିଶ୍ୱାସର ସମ୍ପର୍କ ଆହୁରି ଦୃଢ଼ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ବିଶ୍ୱାଳଙ୍କ ସହ ସୁପ୍ରିୟା ବେହେରା, ଶାଶ୍ୱତୀ ଦାସ ଓ ଦୁର୍ଗେଶ୍ରୀ ବେହେରା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ । ଡିଏଭି ପବ୍ଲିକ ସ୍କୁଲର ଏହି ଅଭିନବ ପ୍ରୟାସକୁ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିବା ସହ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ମଧ୍ୟରେ ଭାଇଚାରା, ସ୍ନେହ ଓ ସାମାଜିକ ଦାୟିତ୍ୱର ଏକ ସୁନ୍ଦର ବାର୍ତା ପ୍ରଦାନ କରିଥିଲା ।
