ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ

କଟକ, ୨୬/୦୮/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)  ମହାପୁରୁଷ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବ ‘ଜସ୍ମ ଏ ଈଦ ମିଲାଦୁନବୀ’ଫୁଲନଖରା ଅଞ୍ଚଳର କୁରାଙ୍ଗ ସମେତ ବ୍ରାହ୍ମଣଝରିଲୋ, ଗବବସ୍ତ, ସାଇଁଶୋ, ମୁଗଭଙ୍ଗା, ପୀରବଜାର, ସିମଳଦା, ଜୟରଶାସନ, ସିଂହୋଳ ଆଦି ମୁସଲମାନ ଅଧ୍ୟୁଷିତ ଅଞ୍ଚଳରେ ପାଳିତ ହୋଇଛି। ଏହି ଅବସରରେ ଗତ ୧୨ଦିନ ଧରି ମସଜିଦମାନଙ୍କରେ ଧର୍ମଗ୍ରନ୍ଥ (କୋରାନ) ପାଠ ସଙ୍ଗେସଙ୍ଗେ ମହାପୁରୁଷ ମହମ୍ମଦଙ୍କ ପବିତ୍ର ବାଣୀ (ହଦିସ) ପ୍ରତ୍ୟହ ଆଲୋଚନା କରାଯାଇଥିଲା ।

ଏହି ଆଲୋଚନା (ନାତେପାକ)ରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲାବେଳେ ଗତ କାଲି ରାତିରେ ଏହା ସମାପ୍ତ ହୋଇଥିଲା। ଆଜି ପ୍ରତ୍ୟୁଷରୁ ଇସଲାମ ଧର୍ମାବଲମ୍ବୀମାନେ ନବବସ୍ତ୍ର ପରିଧାନ ପୂର୍ବକ ମକ୍କା ସରିଫ, ମଦିନା ସରିଫର ତୋରଣ ଏବଂ ନୀଳ ରଙ୍ଗର ପତାକା ଧାରଣ କରି ଶୋଭାଯାତ୍ରା (ଜୁଲୁସ)ରେ ବିଭିନ୍ନ ନଗର ଓ ବସ୍ତି ପରିକ୍ରମା କରିଥିଲେ।

କୁରାଙ୍ଗପ୍ରଧାନ ସରପଞ୍ଚଙ୍କ ପ୍ରତିନିଧି ବିଶ୍ଵରଞ୍ଜନ ସାହୁ, କୁରାଙ୍ଗଶାସନ ପଞ୍ଚାୟତ ସରପଞ୍ଚ ରୋହିଣୀ ଭୋଇ ଏବଂ ସମିତି ସଭ୍ୟ ସତ୍ୟବ୍ରତ ଜେନା, ବାରଙ୍ଗ ବ୍ଲକ ବିଜେଡ଼ି ସଭାପତି ଗଗନବିହାରୀ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। କୁରାଙ୍ଗଠାରେ ଅନୁଷ୍ଠିତ ମିଲାଦୁନବୀ ଉତ୍ସବକୁ ବଡ଼ି ମସଜିଦ ଇମାମ ରକିବ ରଜା, ଛୋଟି ମସଜିଦ ଇମାମ ଫିଦା ରଜା ଓ ବସ୍ତି ମୁରବି ହାଜି ସାହେବଜାନି ମହମ୍ମଦ, ସଲ୍ଫରାଜ ମହମ୍ମଦ, ମହମ୍ମଦ ଅଲ୍ଲାଉଦ୍ଦିନ, ମୋକିମଉଦ୍ଦିନ ଖାଁ, ମହମ୍ମଦ ଫରାଜୁଦ୍ଦିନ, ସାଜନ ମହମ୍ମଦ, ସଲିମ ଖାଁଙ୍କ ସମେତ ମହମ୍ମଦ ନୁର, ମହମ୍ମଦ ଜିଆଉଦ୍ଦିନ, ସବୀରଅଲ୍ଲୀ ଖାଁ, ଶେଖ ନଇମୁଦ୍ଦିନ, ନୁର ମହମ୍ମଦ, ମହମ୍ମଦ ଜିଆଉଦ୍ଦିନ, ଶେଖ ଗୁଲାମ ନବୀ, ଅବରାର ଆଲମ, ଗୁଲାମ ଗସ, ଆୟୁବ ମହମ୍ମଦ, ଶେଖ ଜିଲାନୀ, ଚମନ ଖାଁ, ଶେଖ ନୁର ହୁସେନ ପ୍ରମୁଖ ନୌଜବାନ କମିଟି ସଦସ୍ୟମାନେ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ମସଜିଦଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *