ଯାଜପୁରରେ ବନ୍ୟା ପରିସ୍ଥିତିରେ ସୁଧାର: ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି

ଯାଜପୁର,୨୬/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଆଜି ଅପରାହ୍ନ ସୁଦ୍ଧା ମିଳିଥିବା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SRC)ର ସୂଚନା ଅନୁଯାୟୀ, ଜିଲ୍ଲାର ୨ଟି ବ୍ଲକ୍‌ର ୨୦ଟି ଗ୍ରାମ ପଞ୍ଚାୟତ/ସହରାଞ୍ଚଳ ଏବଂ ୬୭ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ମୋଟ ୧,୧୨,୦୯୯ ଜଣ ଜନସାଧାରଣ ପ୍ରଭାବିତ ହୋଇଥିବା ବେଳେ ୭୧,୬୬୫ ଜଣ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ବନ୍ୟା ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୪୧,୩୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ୮୭ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଏଥିସହ ୮୭ଟି ମାଗଣା ରୋଷେଇ କେନ୍ଦ୍ର ମାଧ୍ୟମରେ ୪୧,୩୬୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ବୈତରଣୀ ଓ କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ୨ଟି ପ୍ରମୁଖ ସ୍ଥାନରେ ନଦୀବନ୍ଧ ଘାଇ ସୃଷ୍ଟି ହୋଇଛି। ଦଶରଥପୁର ବ୍ଲକ୍‌ର ତରପଦା ପଞ୍ଚାୟତ ଅନ୍ତର୍ଗତ ଗଣ୍ଡକୁଳ ପାଟଣା ଗାଁ ନିକଟରେ କାଣୀ ନଦୀବନ୍ଧ ଭାଙ୍ଗିଥିବା ବେଳେ ବିଞ୍ଝାରପୁର ବ୍ଲକ୍‌ର ଜରୀ ପଞ୍ଚାୟତସ୍ଥିତ ନଉବାଙ୍କ ଗାଁ ନିକଟରେ ବୈତରଣୀ ନଦୀବନ୍ଧ ଭାଙ୍ଗି ବନ୍ୟାଜଳ ଗାଁ ଭିତରକୁ ପ୍ରବେଶ କରିଛି। ଜଳସ୍ତର ନ କମିବା ପର୍ଯ୍ୟନ୍ତ ଏହି ଘାଇଗୁଡ଼ିକର ସ୍ଥାୟୀ ମରାମତି ସମ୍ଭବ ହୋଇପାରୁନାହିଁ।  ବନ୍ୟା ପ୍ରଭାବିତ ଅଞ୍ଚଳରେ ୧୦ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଛନ୍ତି।

ବନ୍ୟା ଯୋଗୁଁ ଜିଲ୍ଲାର ଭୌତିକ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୬୮ଟି ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୩,୪୭୮ ଜଣ ବିଦ୍ୟୁତ୍ ଉପଭୋକ୍ତା ବିଦ୍ୟୁତ୍ ସେବାରୁ ବଞ୍ଚିତ ଅଛନ୍ତି। ପାନୀୟ ଜଳ ଯୋଗାଣ ପାଇଁ ଥିବା ୨,୬୭୪ଟି ଟ୍ୟୁବୱେଲ୍ ଜଳମଗ୍ନ ହୋଇଥିବା ବେଳେ ସେଥିମଧ୍ୟରୁ ୧,୭୪୫ଟି ଟ୍ୟୁବୱେଲ୍ ବିଶୋଧନ କରାଯାଇଛି।

ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ରିଲିଫ୍, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସେବା ଓ ଅନ୍ୟାନ୍ୟ ଜରୁରୀ ସହାୟତା ଯୋଗାଇବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ ତ୍ୱରାନ୍ୱିତ କରାଯାଉଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *