ରାଜଶ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ତ୍ୟାଗ, ସମାଜ ସେବାର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର,୨୩/୧୧/୨୦୨୫ (ଓଡ଼ିଶା ସମାଚାର)- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡିଶା ନିଶା ନିବାରଣ ଆଇନ, ଭୁସଂସ୍କାର ଆଇନ, ଭାଷା ଆଇନର ପ୍ରଣେତା ତଥା ତ୍ୟାଗ ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ରାଜଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୫ ତମ ଜୟନ୍ତୀ, ସ୍ଥାନୀୟ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଭାଷା, ସଂସ୍କୃତି ସାହିତ୍ୟ ବିଭାଗ ତଥା ବିଭିନ୍ନ ସଂଗଠନ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ସ୍ମୃତି ଚାରଣ, ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟଅତିଥି ଭାବେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଦ୍ବୟ ମାନ୍ୟବର କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡା ଉପସ୍ଥିତ ରହିବା ସହ ସ୍ବର୍ଗତ ଚୌଧୁରୀଙ୍କ ସମ୍ପର୍କରେ ପୁସ୍ତିକା ଉନ୍ମୋଚନ କରିଥିଲେ । ଭୁସଂସ୍କାର ଆଇନ, ଭାଗଚାଷ ଆଇନ, ନିଶାନିବାରଣ ଆଇନ ସହିତ ଶ୍ରୀମନ୍ଦିର ସଂସ୍କାର ଆଇନ, ରାଉରକେଲା ଇସ୍ପାତ କାରଖାନା,ହୀରାକୁଦ ବନ୍ଧ ଯୋଜନା, ବୈଷୟିକ ଶିକ୍ଷା ପ୍ରତିଷ୍ଠାନ, ଗରିବ, କୃଷକ ମାନଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବା ପ୍ରମୁଖ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ହୋଇଥିଲା ବୋଲି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ।

ଜଣେ ଅତ୍ୟନ୍ତ ସରଳ, ମିଷ୍ଠଭାଷୀ, ଅହଂକାର ବିବର୍ଜିତ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମୁଖ୍ୟଅତିଥି ଶ୍ରୀମତୀ ପାଢ଼ୀ ଓ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଭିତରେ ଶତାୟୁ ପୁଜ୍ୟପୂଜା ପ୍ରାଣ ପଦ୍ମ ଚରଣ ନାୟକ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି,ଭାଷାପ୍ରାଣ ସୁମିତ୍ରା ଜେନା, ଦିଲୀପ ଦାସଶର୍ମା, ମନୋରଞ୍ଜନ ମହାନ୍ତି, ସଂଯୋଜକ ବାପୁ ଓଝା, ସମାଜସେବୀ ବିଜୟ ପ୍ରଧାନ,ଶିକ୍ଷାବିତ କାମଦେବ ମହାପାତ୍ର,ଅଦୈତ ପାତ୍ର, ଗିରିଜା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି  ।

Leave a Reply

Your email address will not be published. Required fields are marked *