ଭସାଣି ରେ ଗୋଷ୍ଠୀ ସଂଘର୍ଷକୁ ନେଇ ଆସନ୍ତା କାଲି ସୋମବାର କଟକ ଵନ୍ଦ, ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିବେଦନ

ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଉପରେ ୨୪ ଘଣ୍ଟିଆ କଟକଣା ଲାଗୁ
କଟକ ସଦର, ୦୫/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାଇଚାରାର ସହର କୁହାଯାଉଥିବା କଟକରେ ଗତ ଭସାଣି ଶୋଭାଯାତ୍ରା ଉପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଳମ୍ବିତ ରାତିରେ ଢେଲା ପଥର ମାଡ଼ କରିଥିବା ପ୍ରତିବାଦ ରେ ଆସନ୍ତା କାଲି ସୋମବାର ଦିନ କଟକ ଵନ୍ଦ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ଆହ୍ୱାନ ଦେଇଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଅପାରଗ ପଣିଆକୁ ଦାୟୀ କରି ଜିଲ୍ଲାପାଳ ଓ ଡିସିପି ଙ୍କୁ ଵଦଳି କରିବାକୁ ଦାବି ଯୋର ଧରିଛି।

ଆସନ୍ତା କାଲି ର ବନ୍ଦ କୁ ସଫଳ କରିବା ପାଇଁ ଆଜି ରବିବାର ସଂଧ୍ୟାରେ ବିଭିନ୍ନ ସଂଗଠନର ହଜାର ହଜାର ଲୋକେ ଗୈ।ରୀଶଙ୍କର ପାର୍କ ଠାରୁ ଦରଘା ବଜାର ପର୍ୟ୍ୟନ୍ତ ଶୋଭାଯାତ୍ରା କରିଥିବା ବେଳେ ପୋଲିସ ନିୟନ୍ତ୍ରଣ କୁ ଆଣିବାରେ ନାକେଦମ ହୋଇଛି। ଶୋଭାଯାତ୍ରା ପାଇଁ ପୋଲିସ ର ଅନୁମତି ନଥିଲା । ଅନୁମତି ନଥିବାରୁ ଶୋଭାଯାତ୍ରା କୁ ଦରଘା ବଜାର ନିକଟରେ ପୋଲିସ ଅଟକାଇଥିଲା । ଫଳରେ ଦରଘା ବଜାର ନିକଟରେ ହଜାର ହଜାର ଲୋକ ଅଟକି ରହିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଓ ଶୋଭାଯାତ୍ରାକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଢେଲାପଥର ମାଡ଼ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ ଲାଠିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ଅପିଲ ପରେ କଟକ ପରିସ୍ଥିତି ଶାନ୍ତ ହେବା ଆଶା କରାଯାଉଛି ।

କଟକ ଵନ୍ଦ ପୂର୍ବରୁ ଆଜି କଟକ ଅଶାନ୍ତ ହୋଇଉଠିଥିଵା ଜଣାପଡିଛି। ଦରଘା ବଜାର ଅଞ୍ଚଳରେ ୧୬୩ ଧାରା ଜାରୀ କରାଯାଇଛି। ଇଣ୍ଟରନେଟର ଅପବ୍ୟବହାର ଦ୍ୱାରା ସାମ୍ପ୍ରଦାୟିକ ହିଂସା ପ୍ରସାରଣ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ଏବଂ ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ ନେଇ ଚିନ୍ତା ପ୍ରକାଶ ପାଇଛି। ଫଳରେ ସାର୍ବଜନୀନ ଶୃଙ୍ଖଳା ଏବଂ ଶାନ୍ତି ବିପର୍ୟ୍ୟସ୍ତ ହେବାର ଆଶଙ୍କା ରହିଛି। କଟକ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

ଅପପ୍ରଚାର ଉପରେ ରୋକ୍ ଲଗାଇବା ପାଇଁ ରବିବାର ସଂଧ୍ୟା ୭ଟାରୁ ସୋମବାର ସଂଧ୍ୟା ୭ଟା ପର୍ୟ୍ୟନ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍, ଏକ୍ସ ଓ ସ୍ନାପ୍ଚାଟ୍ ଭଳି ଅନେକ ସାମାଜିକ ଗଣମାଧ୍ୟମ ଆପ ଗୁଡ଼ିକ ଉପରେ ୨୪ ଘଣ୍ଟିଆ କଟକଣା ଲାଗୁ କରାଯାଇଛି। ଗୃହ ବିଭାଗ ପକ୍ଷରୁ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ମୋବାଇଲ୍ ଇଣ୍ଟରନେଟ୍/ଡାଟା ସେବା ବନ୍ଦ କରାଯାଇଛି। ସେହିପରି ସମସ୍ତ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍/ଡାଟା ସେବା ବନ୍ଦ ରଖାଯାଇଛି। ବ୍ରଡବ୍ୟାଣ୍ଡ ଡାଏଲ ଅପ୍ ସିଷ୍ଟମ ମଧ୍ୟ ବନ୍ଦ ଅଛି। ସିଡିଏ, ସିଏମସି ଏବଂ ବୟାଳିଶିମୌଜା ଅଞ୍ଚଳ ପାଇଁ ଏହି କଟକଣା ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *