ମାହାଙ୍ଗା ୦୫/୧୦/୨୦୨୫ (ଓଡ଼ିଶା ସମାଚାର/ ଅଭୟ ଜେନା) -ଆଉ ନାହାନ୍ତି ମାଟିର ମଣିଷ,କଳା ଓ ସଂସ୍କୃତି ପ୍ରେମୀ ତଥା ଜଣାଶୁଣା ସମାଜସେବୀ ମନମୋହନ ସାହୁ । ଗାଁ’ରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ହାଇସ୍କୁଲ ପ୍ରତିଷ୍ଠା ହେଉ କିମ୍ବା ଗାଁ’ ମେଲଣ ଠାରୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସବୁବେଳେ ନେତୃତ୍ୱ ନେଉଥିଲେ। ଜଣେ ସଂସ୍କୃତିପ୍ରେମୀ, ଧର୍ମପ୍ରାଣ,ମାନବବାଦୀ, ନିର୍ଭିକ ଓ ନୀତିନିଷ୍ଠ ମଣିଷ ଭାବେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ମନମୋହନ ସାହୁ ।
ସରକାରୀ ଚାକିରୀରୁ ଅବସର ନେବାପାରେ ସହରମୁହାଁ ନହୋଇ,ମାଟି ମାଆର ସେବା କରିବାକୁ ନିଜ ଭିଟାମାଟି ରାହଣିଆରେ ଅଟକି ଯାଇଥିଲେ ମନୁଭାଇ । ଦିନେ ଆଖ ପାଖ ଗାଁ’ର ଲୋକମାନଙ୍କୁ ଏକାଠି କରେଇ ଗାଁ’ରେ କିପରି ହାଇସ୍କୁଲଟିଏ ତିଆରି ହୋଇପାରିବ,ସେଥିପାଇଁ ଦିନରାତି ଲାଗିପଡ଼ିଥିବା ବ୍ୟକ୍ତି ମାନଙ୍କ ଭିତରୁ ସେ ଥିଲେ ଅନ୍ୟତମ । ସମ୍ମିଳିତ ଉଦ୍ୟମ ସଫଳ ହେଲା,ଶେଷରେ ଗାଁ’ରେ ଗଢି ଉଠିଲା ଉଚ୍ଚ ବିଦ୍ୟାଳୟ । ପରିଚାଳନା କମିଟିର ସଭାପତି ଦାୟୀତ୍ୱ ନେଲେ ମନମୋହନ ସାହୁ । ଯେଉଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀ ମାନେ ଆଜି ତା’ଙ୍କ ସେବା, ତ୍ୟାଗ ଓ ସାଧୁତାକୁ ଝୁରୁଛନ୍ତି ।
ରାହାଣିଆ ପଞ୍ଚାୟତକୁ କିପରି ବିକଶିତ କରାଯିବ, ଗୋକଳପୁର ସାହିଯାତ୍ରା,କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଗାଁ’ ମେଲଣ ପାଇଁ ଅଣ୍ଟା ଭିଡୁଥିବା ସେହି ଦରଦୀ ମଣିଷଙ୍କ କୀର୍ତ୍ତି ଓ ନିଷ୍ଠାକୁ ସଲାମ କରୁଛନ୍ତି ଯୁବପିଢୀ । ଦୀର୍ଘ ୬0 ବର୍ଷ ପୂର୍ବେ ଉପ ସାହୁ, ରୂପ ସାହୁଙ୍କ ଯାତ୍ରା ଅନୁଷ୍ଠାନ ମାହାଙ୍ଗାର କୋଣ ଅନୁକୋଣରେ ଯେଉଁ ସାଂସ୍କୃତିକ ଜୟଯାତ୍ରା ଜାରୀ ରଖିଥିଲା, ସେହି କଳାନୁରାଗୀ ପରିବାରର ସୁଯୋଗ୍ୟ ଦାୟାଦ ମନମୋହନ ସାହୁଙ୍କ ଅମ୍ଲାନ ଅମୃତମୟ ସ୍ମୁତିରେ ଜନ୍ମମାଟି ରାହାଣିଆ ଠାରେ ଏକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଶରତ କୁମାର ମହାପାତ୍ର, ସାହିତ୍ୟିକ ଅଖିଳେଶ ମହାନ୍ତି,ଅଧ୍ୟାପକ ପ୍ରଦୀପ୍ତ କୁମାର ସୁତାର,ଶିକ୍ଷାବିତ ସୁଶାନ୍ତ କୁମାର ବେହୁରା,ଶିକ୍ଷକ ବିଜୟ କୁମାର ସାହୁ,ଇଞ୍ଜିନିଅର ନିରଞ୍ଜନ ସାହୁ,ଶିକ୍ଷାବିତ ଗଣେଶ୍ୱର ସାହୁ, ଜୟନ୍ତୀ ସାହୁ, ସଞ୍ଜୟ କୁମାର ସାହୁ, ସମିତିସଭ୍ୟ ରବୀନ୍ଦ୍ର ଜେନା, ଧନଞ୍ଜୟ ସାହୁ,ଜୟନ୍ତ କୁମାର ମହାନ୍ତି,ପୂର୍ବତନ ସରପଞ୍ଚ ଧନେଶ୍ୱର ସେନାପତି, କନକଳତା ମହାନ୍ତି, କାହ୍ନୁ ଚରଣ ସାମଲ,ଶିକ୍ଷାବିତ ଦେବେନ୍ଦ୍ର ବାରିକ, ଶିଖିଳେଶ ମହାନ୍ତି, ଇଞ୍ଜିନିଅର ଅଙ୍କିତ ଅନୁରାଗ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ସାହୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହିତ, ତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
