ଜୁଆ ଆଡ୍ଡା ଉପରେ ଚଢ଼ାଉ : ମୋବାଇଲ, ବାଇକ ଓ଼ ନଗଦ ଟଙ୍କା ଜବତ ସହ ୩୧ ଜଣ ଗିରଫ

ବାଲିଗୁଡା,୦୫/୧୦/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ୨ଟି ଜୁଆଆଡ୍ଡା ଉପରେ ଚଢ଼ାଉ କରି ୩୧ ଜଣଙ୍କୁ  ଗିରଫ କରିବା ସହ ସେମାନଙ୍କ ଠାରୁ ୮ଟି ବାଇକ୍‌, ୨୪ଟି ମୋବାଇଲ ସହ କିଛି ନଗଦ ଟଙ୍କା ଜବତ କରାଯାଇଥିବା ବିଷୟ ରବିବାର ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ରୁ ପ୍ରକାଶ ଯେ, ଏହି ଜୁଆ ଆଡ୍ଡା ଚଳାଇଥିବା ଘର ମାଲିକ ମହେଶ୍ୱର ପ୍ରଧାନ ଏବଂ ଟିଟୁ ସାହୁଙ୍କୁ ପୋଲିସ ଅଧିକ ପଚରାଉଚରା କରୁଥିବା ବେଳେ ଅନ୍ୟମାନଙ୍କୁ ନୋଟିସ ଦେଇ ଛାଡ଼ି ଦିଆଯାଇଥିବା ଏସ୍‌ଡିପିଓ କହିଛନ୍ତି।

କୌଣସି ଏକ ସୂତ୍ରରୁ ଖବର ପାଇ ତାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଏବଂ ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ, ସବ୍‌ଇନ୍ସପେକ୍ଟର ଲକ୍ଷ୍ମୀ ମାଝୀ, ବାସନ୍ତି ବେହେରା ଜୟନ୍ତ କୁମାର ସେଠୀ, ଏଏସ୍‌ଆଇ ଅର୍ଜୁନ ଶବର ଶନିବାର ବିଳମ୍ବିତ ରାତିରେ ୨ଟି ସ୍ଥାନରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲେ।

ଏହି ସମୟରେ ପୋଲିସ ଗୋଟିଏ ଆଡ୍ଡାରେ ୨୨ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୬୫ ହଜାର ୭୪୦ ଟଙ୍କା ଜବତ କରାଯାଇଥିବାବେଳେ ସେମାନଙ୍କ ଠାରୁ ୭ ବାଇକ୍‌ ଏବଂ ୧୮ ମୋବାଇଲ ଜବତ କରାଯାଇଥିବା କହିଛନ୍ତି।

ସେହିପରି ଅନ୍ୟ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୯ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ବାଇକ୍‌ ଏବଂ ୬ଟି ମୋବାଇଲକୁ ପୋଲିସ ଜବତ କରିଥିଲା । ଦାରିଙ୍ଗବାଡ଼ି ଅଞ୍ଚଳରେ ଏକାଧିକ ସ୍ଥାନରେ ଏହି ଜୁଆ ଚାଲିଥିବା ଖବର ଏସ୍‌ଡିପିଓଙ୍କୁ ସୂଚନା ରହିଥିଲା । ସେ ସୂଚନା ପାଇ ଚଢ଼ାଉ କରିଥିବା ଖବରଦାତା ସମ୍ମିଳନୀରେ କହିଥିଲେ। ଏହି ଜୁଆଆଡ୍ଡାରେ ସ୍ଥାନୀୟ ଲୋକଙ୍କ ସମେତ ପଡ଼ୋଶୀ ଗଞ୍ଜାମ ଜିଲାର ଖେଳାଳି ଏଥିରେ ସାମିଲ ହୋଇଥିବା ଏସ୍‌ଡିପିଓ କହିଛନ୍ତି।

ସେ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ, ଏବେ ପାର୍ବଣ ଚାଲିଛି , ଲୋକ ଏହାକୁ ପାଳନ କରନ୍ତୁ କିନ୍ତୁ ଜୁଆ ଖେଳିଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି। ଏଥିସହ ଅଞ୍ଚଳରେ ଚୋରି ବୃଦ୍ଧି ଘଟଣାକୁ ନେଇ ଏସ୍‌ଡିପିଓ କହିଛନ୍ତି ପୋଲିସ ଚୋରି ଯାଇଥିବା ୨ଟି ବାଇକ୍‌ ଉଦ୍ଧାର କରିଛି , ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ।

Leave a Reply

Your email address will not be published. Required fields are marked *