ଭୁବନେଶ୍ୱର,୦୨/୧୦/୨୦୨୫ (ଓଡ଼ିଶା ସମାଚାର)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ରାତି ସାରା ବର୍ଷା ଲାଗି ରହିବ ବୋଲି ଓଗଊ ଡିଜି ସୂଚନା ଦେଇ କହିଛନ୍ତି। ଓଗଊ ଡିଜିଙ୍କ ଅନୁଯାୟୀ, ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଜାରି ରହିଛି। ବର୍ତ୍ତମାନ ଘଣ୍ଟାକୁ ୫୫ରୁ ୬୫ କିମି ବେଗରେ ପବନ ବହୁଛି। ଖାଲୁଆ ଅଞ୍ଚଳ ଜଳମଗ୍ନ ଓ ଭୂସ୍ଖଳନର ଆଶଙ୍କା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା, ଗଭୀର ସମୁଦ୍ରରେ ଥିଲେ ନ ଫେରନ୍ତୁ। କାଲି ସକାଳ ସୁଦ୍ଧା ବର୍ଷାର ପ୍ରକୋପ କମିବ ବୋଲି ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଅନ୍ୟପଟେ, ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ୭ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳକୁ ରେଡ ୱାର୍ନିଂ ଜାରି କରାଯାଇଥିବାବେଳେ ଆଉ ୧୬ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।
ଲଘୁଚାପ ପ୍ରଭାବରେ ଜାରି ରହିଥିବା ବର୍ଷରେ ରାୟଗଡ଼ ବ୍ଲକର ପେକେଟ ଗାଁ ନିକଟସ୍ଥ ବାମରା ପାହାଡ଼ରୁ ବ୍ୟାପକ ଭୂସ୍ଖଳନ ହୋଇଛି। ରାୟଗଡ଼ ବ୍ଲକ ପେକେଟ ଗାଁ ନିକଟ ବାମରା ପାହାଡ଼ରୁ ଭୂସ୍ଖଳନ ଯୋଗୁ ବାପପୁଅ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ରାୟଗଡ଼ରୁ ନୂଆଗଡ଼ ଓ ରା.ଉଦୟଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଗୁମ୍ମା ବ୍ଲକର ଅଢେଇ ଗାଁ ନିକଟରେ ମାଟି ଅତଡ଼ା ଖସି ଅଢେଇ ଗାଁ ଓ କୁଯାସିଂ ଗାଁ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।
ମିିଳିଥିବା ସୂଚନା ମୁତାବକ, ବର୍ଷା ପରେ ପାହାଡ଼ରୁ ପ୍ରାୟାତ୍ ୧୦୦ ଫୁଟ ଉଚ୍ଚତାରୁ ମାଟି ଓ ପଥର ଖସି ପଡ଼ିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କୁ ବିପଦ ସୃଷ୍ଟି ହୋଇଛି। ନିଖୋଜ ବାପପୁଅଙ୍କୁ ଶୀଘ୍ର ଖୋଜିବା ପାଇଁ ସ୍ଥାନୀୟ ଅଧିକାରୀମାନେ ପଦକ୍ଷେପ ନେଇଛନ୍ତି
ସେହିପରି ଲଘୁଚାପ ଓ ଅବପାତ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଓ ପବନ ବହିବା ସହ କୋରାପୁଟ – ରୟାଗଡା ରେଳ ଲାଇନ ଓ କୋରାପୁଟ – ବିଶାଖାପାଟଣା ରେଳ ଲାଇନରେ ରେଳ ଚଳାଚଳ ଠପ୍ ହୋଇ ଯାଇଛି । ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ସହିତ ଗଛ ଡାଳ ଖସି ବିଦ୍ୟୁତ ତାର ଛିଣ୍ଡି ରେଳ ଚଳାଚଳ ଠପ ହୋଇଥିବାବେଳେ ୨ ଟି ଟ୍ରେନ ବାତିଲ ହୋଇଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ ଦାମନଯୋଡି ମଧ୍ୟରେ ଥିବା ଡୁମୁରିପୁଟ ନିକଟରେ ପାହାଡ଼ରୁ ମାଟି ଅତଡ଼ା ସହ ପଥର ଖସି ରେଳ ଧାରଣାରେ ପଡିରହିଛି। ସେହିପରି କୋରାପୁଟ, ବିଶାଖାପାଟଣା ରେଳଲାଇନର. ନିକଟରେ ଥିବା ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି।
ସେହିପରି କୋରାପୁଟ ରାୟଗଡା ରେଳ ଲାଇନର ଭାଲୁ ମସ୍କା ନିକଟରେ ବର୍ଷା ଜଳ ରେଳ ଧାରଣାରେ ପଶିଯାଇଛ। ଯାହାଫଳରେ ହାୱାଡାରୁ ଜଗଦଳପୁର ଆସୁଥିବା ସମଲେଶ୍ୱରୀ ଟ୍ରେନ ରାୟଗଡା ଜିଲାର କେଉଟଗୁଡା ଠାରେ ଅଟକି ରହିଛି। ସେହିପରି ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ କୋରାପୁଟ ଷ୍ଟେଶନ ନିକଟରେ ଅଟକି ରହିଛି । ଏହା ନିର୍ଦ୍ଧାରିତ ସମୟର ୩ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ଛାଡିବାକୁ ଥିବାବେଳେ ଅନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟ ରାୟଗଡା ନିକଟରେ ଗାଡି ଚଲା ଚଳ ବନ୍ଦ ରହିଥିବାବେଳେ, ମୋହନପଡା ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲ ଉପରେ ୩ ଫୁଟ ପାଣି ଚାଲିଥିବା ଯୋଗୁ କୋରାପୁଟ ସୁନାବେଡା ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି।
ଗତ ୨୪ଘଣ୍ଟା ଧରି ରାୟଗଡ଼ା ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଆଜି ସକାଳ ୧୦ଟା ଠାରୁ ବର୍ଷା ଲାଗି ରହିଛି । ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ କ୍ଷୟକ୍ଷତି ମଧ୍ୟ ହୋଇଥିବା ଜଣାପଡ଼ିଛି । ରାୟଗଡ଼ା ସହର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ନିକଟରେ ଲଗାଣ ବର୍ଷାରେ ପାହାଡ଼ ଧସି ରେଳ ଟ୍ରାକ୍ ଉପରେ ପଥର ପଡ଼ିଥିବା ଦେଖିବାକୁ ମିଳିଛି । ପାହାଡ଼ରୁ ଭୁସ୍ଖଳନ ଯୋଗୁଁ ବଡ଼ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ଟ୍ରାକ ଭାଙ୍ଗିଯିବା ସହ ଟ୍ରାକ ଉପରେ ମାଟି ଅତଡ଼ା ଜମା ହୋଇଛି । ଫଳରେ ବିଶାଖାପାଟଣାଠାରୁ ରାୟଗଡ଼ା ଦେଇ ଯାଉଥିବା ରେଳ ରୁଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ରେଳ ବିଭାଗ ସିଙ୍ଗଲ ଲାଇନରେ ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି। ଘଟଣାସ୍ଥଳରେ ରାୟଗଡ଼ା ରେଳ ଡିଭିଜନ ଡିଆରଏମ ଅମିତାଭ୍ ସିଂଘଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଏପଟେ ଲଗାଣ ବର୍ଷା ହେବା ଫଳରେ ରାୟଗଡ଼ା ବ୍ଲକ ପିପଲଗୁଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମର କାୟଲା ମାଣ୍ଡାଙ୍ଗିଙ୍କ ଘର ଭୁଷୁଡ଼ି ପଡ଼ିଛି । ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି । ପିପଲଗୁଡ଼ା ଅଞ୍ଚଳରେ ଭୁସ୍ଖଳନ ଘଟି ରାସ୍ତା ଉପରେ ମାଟି ଅତଡ଼ା ଖସିଥିବା ଦେଖିବାକୁ ମିଳିଛି।
ସେହିପରି ଗୁଣପୁର ବ୍ଲକ ଟିଟିମିରିଠାରୁ ଭୀମପୁରଗୁଡା ସଂଯୋଗ କରୁଥିବା ରାସ୍ତା ଧୋଇଯାଇଛି । ଫଳରେ ଉଭୟ ଗ୍ରାମକୁ ସଂଯୋଗ ବିଛିନ୍ନ ହୋଇଛି । ଲଗାଣ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ନାଳମାନଙ୍କରେ ପାଣି ଆସିବା ଯୋଗୁଁ ଜିଲ୍ଲାରେ ଗ୍ରାମାଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ବର୍ଷା ସହ ପବନ ହେଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାତ୍ରପୁର ବ୍ଳକରେ ସ୍ଥିତି ବେହାଲ ହୋଇଛି । ଦୁର୍ଗମ ମହାଲିମ୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ଜଳ ପ୍ରବାହିତ ହୋଇ କାନ୍ଥ ଭୁଶୁଡ଼ି ପଡିଛି । ସେହିପରି ତିନୋଟି ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେବା ଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି । ଗୁରୁବାର ସକାଳ ଠାରୁ ଅନବରତ ବର୍ଷା ଲାଗି ରହିଛି । ବର୍ଷା ଫଳରେ ବାଘଲଟି ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି ।
ବର୍ଷା ହେବା ଫଳରେ ମହେନ୍ଦ୍ର ତନୟା ନଦୀରେ ପାଣି ଆସିବା ଫଳରେ ବୁରାତାଲଠାରୁ ଜାମଗଣ୍ଡ ରାସ୍ତାରେ ନିର୍ମିତ କାଠ ପୋଲ ଉପର ଦେଇ ପାଣି ପ୍ରଭାବିତ ହେବା ଯୋଗୁ ଯାତାୟତ ବନ୍ଦ ରହିଛି । ସେହିପରି ଆଙ୍କୁଲି ପଂଚାୟତ ଠୁରୀଆମ୍ବ ନାଳରେ ପାଣି ଆସିବା ଫଳରେ କମ୍ପୁଟ ବାଡ଼ଠାରୁ କୁମ୍ଭାର ଦଲି ଯିବା ରାସ୍ତା ପୋଲ ଉପର ଦେଇ ପାଣି ପ୍ରଭାବିତ ହେବାରୁ କମ୍ପୁଟ ଗ୍ରାମକୁ ଯାତାୟତ ବନ୍ଦ ରହିଥିଲା।
ବର୍ଷା ଯୋଗୁଁ ଦିଗପହଣ୍ଡି ବ୍ଲକର ଭ୍ରମରପୁରଠାରୁ ଗଜପତି ଜିଲ୍ଲା ମହେନ୍ଦ୍ର ଗଡ଼ ଯିବା ରାସ୍ତାରେ ବାତରଡ଼ା ନାଳରେ ନିର୍ମାଣ ଚାଇଥିବା ପୋଲ ଉପର ପାର୍ଶ୍ବରେ ନିର୍ମିତ କର୍ଲଭଟ ଉପର ଦେଇ ପାଣି ପ୍ରଭାବିତ ହେବାରୁ ପାତ୍ରପୁର ବ୍ଲକର ଖାରିଆଗୁଡ଼ା, ତୁରୁବୁଡ଼ି, ଗଜପତି ଜିଲ୍ଲା ମହେନ୍ଦ୍ର ଗଡ ସହିତ ଭ୍ରମର ପୁର ଦିଗପହଣ୍ଡି ଯୋଗାଯୋଗ ବିଛିନ୍ନ ହୋଇ ପଡିଛି । ସେହିପରି ପୋଇଚାନ୍ଦିଆ ନଦୀ ପାଣି ପାତ୍ରପୁର ବ୍ଲକ ମନ୍ଦରଡ଼ା ପଂଚାୟତ ତିନିଘରିଆ ଗ୍ରାମ ଦଳିତ ସାହି ପାର୍ଶ୍ଵ ଦେଇ ପ୍ରବାହିତ ହେଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ଅଧିକାରୀଙ୍କୁ ହେଡ଼କ୍ୱାର୍ଟରରେ ରହିବା ଲାଗି ଚିଠି ହେବା ପରେ ବିଭିନ୍ନ ବିଭାଗ ତରଫରୁ କର୍ମଚାରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷ କରି ପାତ୍ରପୁର ବ୍ଲକର ଆଙ୍କୁଲି,ତୁମ୍ବା ଓ ବୁରାତାଳ ପଂଚାୟତ ଉପରେ ପ୍ରଶାସନ ବିଶେଷ ନଜର ଦେଇଛି । ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ଆଦିବାସୀଗାଁ ଗୁଡିକ ଉପରେ ତୀକ୍ଷଣ ନଜର ରଖାଯାଇଛି ।
