ଦ୍ୱି- ଦିବସୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର,୧୬/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରସ୍ଥିତ ଲୋକସେବା ଭାବନ ସମ୍ମେଳନ କକ୍ଷଠାରେ ଚାଲିଥିବା ରାଜ୍ୟସ୍ତରୀୟ ଦ୍ୱି- ଦିବସୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଛି । ପ୍ରଶାସନକୁ କାର୍ଯ୍ୟାଳୟ ମଧ୍ୟରେ ସଙ୍କୁଚିତ ନ ରଖି ଜନସାଧାରଣଙ୍କ ନିକଟରେ ସମସ୍ତ ସରକାରୀ ସେବା ପହଞ୍ଚାଇବା ଓ ସେମାନଙ୍କ ସମସ୍ୟାର ସମାଧାନ କରିବା ସହ ତୃଣମୂଳସ୍ତରରୁ ଲୋକଭିମୁଖୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ସମାପ୍ତ ହୋଇଛି ।

        ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଜି ବିଭିନ୍ନ ସମ୍ପାନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ସଙ୍କ୍ରାନ୍ତୀୟ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ସମ୍ପାନରେ ପାନୀୟଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ୱାଜ, ଏସ୍‌ଆଇଆର୍‌ଡିର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ମୀନା, ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ସିଂହ ରାଠୋର, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗ୍ରାମୀଣ ଗୃହନିର୍ମାଣ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା, ପଞ୍ଚାୟତ ପ୍ରୋଜେକଫ ମ୍ୟାନେଜମେଣ୍ଟ ସିଷ୍ଟମ (ପିପିଏମ୍‌ଏସ୍‌), କେନ୍ଦ୍ର/ରାଜ୍ୟ ଅର୍ଥ ଆୟୋଗ ଅନୁଦାନର ସୁପରିଚାଳନା, ଅନ୍‌ଲାଇନ୍‌ ଅଡିଟ, ପ୍ରଯୁକ୍ତିବିଦ୍ୟା ପ୍ରୟୋଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ତଥା ଯୋଜନାର କାର୍ଯ୍ୟନ୍ୱୟନ ଏବଂ ପଞ୍ଚାୟତ ବିକାଶ ଯୋଜନା, ମଡ଼େଲ ପଞ୍ଚାୟତ ଗଠନ ପାଇଁ ଆଇଏସ୍‌ଓ ପ୍ରମାଣପତ୍ର, ପଞ୍ଚାୟତ ଲର୍ଣ୍ଣିଙ୍ଗ ସେଣ୍ଟର ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଯେପରିକି ପାନୀୟ ଜଳ, ପରିମଳ, ଓର୍‌ମାସ୍‌ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ବିଭାଗ ସମନ୍ୱୟରେ ସଂଯୋଜନ ମାଧ୍ୟମରେ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଜଲ୍‌ ଜୀବନ ମିଶନ୍‌ ଏବଂ ବସୁଧା ଯୋଜନା ଅଧୀନରେ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଣ (ଏଫ୍‌ଏଚ୍‌ଟସି) ସହ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକରେ ହର୍‌ ଘର ଜଲ ପ୍ରମାଣପତ୍ରର ଆବଶ୍ୟକତା, ଜଳ ଅପଚୟକୁ ରୋକିବା ସହ ଜଳ ସଂରକ୍ଷଣ, ନଳକୂପ ଖନନ ଓ ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ଉପରେ ଆଲୋଚନା ହେବା ସହ ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ସମ୍ବନ୍ଧୀୟ ବିଭିନ୍ନ ସୂଚନା, ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେବା ପାଇଁ ଉପସ୍ଥିତ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ସଠିକ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଗ୍ରାମାଞ୍ଚଳରେ ବାହ୍ୟ ବର୍ଜ୍ୟମୁକ୍ତ (ଓଡିଏଫ୍‌ ପ୍ଲସ୍‌) ସ୍ଥିତିକୁ ବଜାୟ ରଖିବା ଏବଂ ଓଡିଏଫ୍‌ ପ୍ଲସ୍‌ ମଡେଲ ଭିଲେଜର ଯେଉଁ ଦୃଷ୍ଟିକୋଣ ରହିଛି ସେଗୁଡିକୁ କିପରି ଶତ ପ୍ରତିଶତ ହାସଲ କରିହେବ ସେ ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ସର୍ବସାଧାରଣ ସ୍ଥାନମାନଙ୍କରେ ଶୌଚାଳୟ ସୁବିଧା ସହ ଗୋଷ୍ଠୀ ଶୌଚାଳୟ, ଗ୍ରାମାଞ୍ଚଳରେ ବର୍ଜ୍ୟ ପୃଥକୀକରଣ, ପ୍ଲାଷ୍ଟିକ ମୁକ୍ତ ଗ୍ରାମ ଗଢିବା ସହ ବର୍ଜ୍ୟ ସୁପରିଚାଳନା ଉପରେ ପ୍ରାଧାନ୍ୟ ଦେବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକମାନଙ୍କୁ ପରାମର୍ଶ  ଦିଆଯାଇଥିଲା ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ସ୍ୱୟଂ ଶାସିିତ ଅନୁଷ୍ଠାନ ଓର୍‌ମାସ୍‌ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଶିଳ୍ପ ପାର୍କ, ବିଭିନ୍ନ କର୍ପୋରେଟ ସଂସ୍ଥା ସହ ଅନୁବନ୍ଧିତ ହୋଇ ଗ୍ରାମାଞ୍ଚଳରେ ଉତ୍ପାଦନ ହେଉଥିବା ବିଭିନ୍ନ ସ୍ୱଦେଶୀ ଉତ୍ପାଦର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ, ବ୍ରାଣ୍ଡିଙ୍ଗ, ବିପଣନ ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଓର୍‌ମାସ୍‌ ପ୍ରସ୍ତୁତ ଉତ୍ପାଦର ଉପଲବ୍ଧତା ସହ ବିଭିନ୍ନ ଜିଲ୍ଲାରେ ଓର୍‌ମାସ୍‌ ଅଧିକ ସଂଖ୍ୟକ ରିଟେଲ ଆଉଟଲେଟ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା ।

ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ବିଭାଗ ସମନ୍ୱୟରେ ଯେପରିକି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନ୍ତର୍ଗତ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମଗ୍ର ଶିକ୍ଷା ଯୋଜନା, ପିଏମ୍‌ଶ୍ରୀ ଯୋଜନା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ବାୟୋ-ମେଡ଼ିକାଲ ବର୍ଜ୍ୟ ପରିଚାଳନା, ଭିତ୍ତିଭୂମୀ ପରିଚାଳନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ବିଭିନ୍ନ କାର୍ଯ୍ୟକ୍ରମ ଆଦି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଉପସ୍ଥିତ ଅଧିକାରୀଗଣ ନିଜ ନିଜ କାର୍ଯ୍ୟକ୍ଷେତ୍ର, ଯୋଜନାର କାର୍ଯ୍ୟାନ୍ୱୟନ ଆଦିରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ ବରିଷ୍ଠ ଅଧିକାରୀଗଣଙ୍କୁ ସୂଚିତ କରି ତାହାର ସମାଧାନ ନିମନ୍ତେ ମାର୍ଗଦର୍ଶନ ପ୍ରାପ୍ତ ହୋଇଥିଲେ ।

        ସମ୍ମିଳନୀରେ ବିଭାଗୀୟ ଶାସନ ସଚିବ ତଥା ଆୟୁକ୍ତ ଶ୍ରୀ ଗିରୀଶ ଏସ୍‌. ଏନ୍‌. ସମସ୍ତ ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ନିମନ୍ତେ ଉନ୍ନତ ଭିତ୍ତିଭୂମି ସହ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଓ ପାନୀୟ ଜଳ ଭଳି ସମସ୍ତ ମୌଳିକ ସୁବିଧା କିପରି ସହଜରେ ପାଇପାରିବେ ସେଥିପ୍ରତି ଯନିବାନ ହେବା ସହ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟ କରିବା ଦିଗରେ ବ୍ରତୀ ହେବା ନିମନ୍ତେ ଉତ୍ସାହିତ କରିଥିଲେ ।

        ସୂଚନାଯୋଗ୍ୟ ଯେ ଗତକାଲି ଏହି ଦ୍ୱି- ଦିବସୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ମିଳନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରି ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଯୋଗଦେଇ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ କି ଭଳି ଭାବରେ ଗ୍ରାମୀଣ ବିକାଶ ଓ ରାଷ୍ଟ୍ରୀୟ ପ୍ରଗତିରେ ଯୋଗଦାନ କରି ପାରିବେ ସେ ଉପରେ ଅଧିକାରୀମାନଙ୍କୁ ପ୍ରେରିତ କରିଥିଲେ ।

-0-

ବିନାୟକ ମିଶ୍ର ,ଲୋକସମ୍ପର୍କ ଅଧିକାରୀ’ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *