ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଏମଏସଏମଇ ଉତ୍ପାଦର ଜାତୀୟ ଓ ବିଶ୍ୱସ୍ତରୀୟ ପରିଚିତିକୁ ଗୁରୁତ୍ୱ
ଭୁବନେଶ୍ୱର,୧୧/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟ ଶାସନ ସଚିବ ସଚିବମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଓଡ଼ିଶାର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ) କ୍ଷେତ୍ରର କିପରି ଜାତୀୟ ଓ ବିଶ୍ୱ ସ୍ତରରେ ଗୁରୁତ୍ୱ ବଢ଼ିବ, ଏଏସଏମଇ ଉତ୍ପାଦ ପାଇଁ ବଜାର ସୃଷ୍ଟି, ଏଥିାଇଁ ସଂପୃକ୍ତ ବିଭିନ୍ନ ବିଭାଗ ସହିତ ଆବଶ୍ୟକ ସମନ୍ୱୟ, ଏମଏସଏମଇ ଉତ୍ପାଦର ଗୁଣାତ୍ମକତା ବୃଦ୍ଧି, ପ୍ରୋତ୍ସାହନ, ରିଆତି ସୁବିଧା, ଭିତିଭୂମି, ଗବେଷଣା ଓ ବିକାଶ ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ ।

ଆଗାମୀ ସେପ୍ଟେମ୍ବର ୧୮ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏଥି ପାଇଁ ଉପସ୍ଥାପିତ ହେବାକୁ ଥିବା ବିଭିନ୍ନ ବିଭାଗର ବିଲ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ସମୟରେ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିିର କାର୍ଯ୍ୟକାରିତା ସଂପର୍କରେ ସଂପୃକ୍ତ ବିଭାଗମାନେ ସ୍ଥିତି ଅନୁଧ୍ୟାନ କରିବା, ୨୦୨୫-୨୬ ବର୍ଷରେ ବଜେଟ୍ ଅନୁମୋଦନ ହିସାବରେ କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସ୍ଥିତି ସମୀକ୍ଷା କରିବା, ଖାଲି ଥିବା ଗୃପ୍ ସି ପଦବୀ ପୂରଣ ଆଦି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା । ସେମି କଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାର ସୁଯୋଗ ନେବା, ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନକୁ ବୃଦ୍ଧି କରି ସ୍ୱଚ୍ଛ ଉର୍ଜାକୁ ପ୍ରୋତ୍ସାହନ ଦେବା, ପିଏମ ସୂର୍ଯ୍ୟଘର ମୁଫତ ବିଜଲି ଯୋଜନା କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ ।

ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ୱୟନରେ ରିଅଲ ଟାଇମ (ସଦ୍ୟତମ) ସ୍ଥିତି ଜାଣିବା ପାଇଁ ଆରମ୍ଭ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସ ବୋର୍ଡ ଜରିଆରେ ତଦାରଖ ହେବାକୁ ଥିବା ଓଡ଼ିଶା ଲୋକସେବା ଅଧିକାରୀ ଅଧିନିୟମ (ଓଆରଟିିଏସଏ), ଶିଳ୍ପ ପ୍ରକଳ୍ପ, ଭିତିଭୂମି ପ୍ରକଳ୍ପ, ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ- ୨୦୪୭ ପରିପ୍ରେକ୍ଷୀରେ ମୁଖ୍ୟ ପ୍ରଦର୍ଶନ ସୂଚକ (କେପିଆଇ) କାର୍ଯ୍ୟକାରିତା ନିମନ୍ତେ ଏହି ପୋର୍ଟାଲ କାର୍ଯ୍ୟ ପ୍ରସ୍ତୁତିରେ କେତେ ଅଗ୍ରଗତି ହୋଇଛି, ସେ ସଂପର୍କରେ ସମୀକ୍ଷା କରାଯାଇଥିଲା । ଆହୁରି ମଧ୍ୟ ଜନ ବିଶ୍ୱାସ ବିଲ୍ କାର୍ଯ୍ୟକାରିତାରେ ଶିଳ୍ପ ବିଭାଗ ସଂପର୍କିତ ଇଜ ଅଫ ଡୁଇଙ୍ଗ ବିଜନେସକୁ ସୁନିଶ୍ଚିତ କରିବା ସଂପର୍କରେ ଆଲୋକପାତ କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସହିତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *