ଜଗତସିଂହପୁର,୧୮/୦୧/୨୦୨୫ (ଓଡ଼ିଶା ସମାଚାର)-ଆଜି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଶାଇଲୋ ଠାରେ ୨୦୨୪-୨୫ ବର୍ଷ ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନିୟନ୍ତ୍ରିତ ବଜାର କମିଟି ରାହାମା ପକ୍ଷରୁ ଜିଲ୍ଲାରେ ଧାନ ସଂଗ୍ରହ କେନ୍ଦ୍ର (ମଣ୍ଡି) ମାନ୍ୟବର ମନ୍ତ୍ରୀ ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି। ଜିଲ୍ଲାରେ ୧୦୬ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ଯେ ,ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ସୁବ୍ୟବସ୍ଥିତ ,ସ୍ୱଚ୍ଛ ଓ ସହଜରେ ଧାନ କିଣା ହେବ। ଚାଷୀମାନେ ଯେପରି ସଠିକ୍ ଭାବେ ଧାନ ବିକ୍ରି କରିବେ ସେଦିଗରେ ଗୁରୁତ୍ଵ ଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସରକାରୀ ଅଧିକାରୀ ଏବଂ ନୋଡାଲ ଅଫିସର ଚାଷୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ କହିଥିଲେ। ଚାଷୀ ଭାଇ ମାନଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ସବୁ ମଣ୍ଡିରେ ସି ସି ଟି ଭି ର ବ୍ୟବସ୍ଥା ଏବଂ ଧାନ ବିକ୍ରି କରିବାର ୪୮ ଘଣ୍ଟା ମଧ୍ୟରେ ଚାଷୀ ଭାଇ ମାନଙ୍କ ଆକାଉଣ୍ଟ କୁ ଟଙ୍କା ଆସିଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଯେ ପ୍ରତି ମଣ୍ଡିରେ ଧାନ କ୍ରୟ କରିବା ପାଇଁ ଜଣେ ଜଣେ ନୋଡାଲ ଅଫିସର ଙ୍କୁ ନିୟୋଜିତ କରାଯାଇଛି ଏବଂ ଧାନ ବିକ୍ରୟ କରିବାରେ କୌଣସି ଅସୁବିଧା ହେଉଥିଲେ ଟୋଲ ଫ୍ରି ନମ୍ୱର ୧୯୬୭ କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ସ୍ୱାଗତ ଭାଷଣ ଦେଇଥିଲେ।ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର କହିଲେ ଚାଷୀ ମାନେ ସେମାନଙ୍କର ଧାନ ସୁଲଭ ମୂଲ୍ୟରେ ବିକ୍ରୟ କରିପାରିବେ।ଚାଷୀ ଭାଇ ମାନେ ଶୁଖିଲା ଓ ସଫା ଧାନ ବିକ୍ରୟ କେନ୍ଦ୍ରକୁ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ଉଚିତ୍ ସହାୟକ ମୂଲ୍ୟରେ ପାଆନ୍ତୁ। ସାଧାରଣ ଧାନ କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩୧୦୦ ଟଙ୍କା ଓ ଗ୍ରେଡ ଏ ଧାନ କ୍ଵିଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୩୧୨୦ ଟଙ୍କା ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଛି ଏବଂ ଚାଷୀ ମାନେ ଧାନ ସଂଗ୍ରହ କେନ୍ଦ୍ରରେ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଧାନ ପହଞ୍ଚାଇବେ। ଏହି ବୈଠକରେ ARCS ଶ୍ରୀ ପ୍ରଭାତ ଚନ୍ଦ୍ର ଶତପଥୀ, ଯୋଗାଣ ବିଭାଗ କର୍ମକର୍ତ୍ତା, ମଣ୍ଡି ର ସେକ୍ରେଟାରୀ,ଚାଷୀ, ମିଲର ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।
ଜଗତସିଂହପୁର ଜିଲ୍ଲା ରେ ଧାନ ସଂଗ୍ରହ କେନ୍ଦ୍ର ଉଦଘାଟିତ
