ଅଯୋଧ୍ୟା-ବାରଣାସୀ ଗଲେ ୬ ଜିଲାରୁ ୭୭୫ ଜଣ ବରିଷ୍ଠ ନାଗରିକ
ଭୁବନେଶ୍ୱର,୧୧/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ, ଟୁରିଜିମ କର୍ପୋରେସନ ଓ ଖୋର୍ଦ୍ଧା ଜିଲା ପ୍ରଶାସନର ସହଭାଗିତାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନ ଗତକାଲି ବୁଧବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଅଯୋଧ୍ୟା –ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ପ୍ରଥମ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପ- ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଙ୍କ ସମେତ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ପୁରୀ ବିଧାୟକ ସୁନିଲ ମହାନ୍ତି, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ,ଖୋର୍ଦ୍ଧା ଜିଲାପାଳ ଅମୃତ ଋତୁରାଜ ପ୍ରମୁଖ ଯୋଗ ଦେଇ ପ୍ରଥମ ଟ୍ରେନ ଯାତ୍ରା ପାଇଁ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ଜଣାଇଥିଲେ ।
ଏହି ଅବସରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ୱନାଥ ଧାମକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ୬ଟି ଜିଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟାରେ ସନାତନ ଧର୍ମର ପ୍ରାଣକେନ୍ଦ୍ର ତଥା ଭାରତୀୟ ସଂସ୍କୃତିର ପ୍ରତୀକ ପ୍ରଭୁ ଶ୍ରୀ ରାମଲାଲଙ୍କୁ ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ କାଶୀ ବିଶ୍ୱନାଥ ମନ୍ଦିର ସହ ପବିତ୍ର ଗଙ୍ଗା ଆରତୀ ଓ ଗଙ୍ଗା ଘାଟରେ ଥିବା ମନ୍ଦିରଗୁଡିକୁ ପରିଦର୍ଶନ କରିପାରିବେ । ୨୦୨୫ – ୨୬ ଆର୍ଥôକ ବର୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଧୀନରେ ୧୦ ଟି ପର୍ଯ୍ୟାୟରେ ପ୍ରାୟ ୮୦୦୦ ବରିଷ୍ଠ ନାଗରିକମାନଙ୍କୁ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ୭୭୫ ଜଣ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ଜଣେଇବା ସହ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ଭାରତର ବିଭିନ୍ନ ସଂସ୍କୃତିକୁ ଯୋଡିବାର ପ୍ରୟାସକୁ ପ୍ରଶଂସା କରିଥିଲେ ।
ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ରୁଦ୍ର ନାରାୟଣ ଦାସ ଧନ୍ୟବାଦ ଦେଇଥିଲେ । ଏହି ଯାତ୍ରାରେ ଖୋର୍ଦ୍ଧା ଜିଲାରୁ ୧୬୯ ଜଣ, ପୁରୀରୁ ୧୨୭ ଜଣ, କଟକରୁ ୧୯୭ଜଣ, ଜଗତସିଂହପୁର ୮୫ଜଣ, କେନ୍ଦ୍ରାପଡ଼ାରୁ ୮୯ଜଣ, ଢେଙ୍କାନାଳରୁ ୧୦୮ ଜଣ ପ୍ରମୁଖ ୭୭୫ଜଣ ବରିଷ୍ଠ ନାଗରିକଙ୍କ ସହ ୨୫ ଜଣ ସହାୟକ (ଏସକର୍ଟ) ଅଧିକାରୀ ଭୁବନେଶ୍ୱର ରେଳ ଷ୍ଟେସନରୁ କେନ୍ଦ୍ର ସରକାରଙ୍କ ଭାରତ ଗର୍ବ ଟ୍ରେନରେ ଅଯୋଧ୍ୟାବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
