ନବୀ ମୁମ୍ବାଇ/ଭୁବନେଶ୍ୱର,୨୭/୦୫/୨୦୨୬(ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧୀନ କ୍ୟାନ୍ସର ରୋଗୀମାନଙ୍କ ପାଇଁ ନବୀ ମୁମ୍ବାଇର ଖାରଘର ସେକ୍ଟର-୧୨, ପ୍ଲଟ୍ ନମ୍ବର D/35/32-33 ଠାରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏକ ନୂତନ ଶେଲ୍ଟର ହାଉସର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି ମାନବିକ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ସମାଜସେବୀ, ଦାନଦାତା ଓ ସାମାଜିକ କର୍ମୀମାନେ ଯୋଗଦେଇଥିଲେ। ଏହି ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀ ସତୀଶ ପାଇ ଓ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗଣପତ କୋଠାରୀ, ଡା. ରୀତା ମୋଦୀ, ଆଣ୍ଟି କରପ୍ସନ ଇଣ୍ଟେଲିଜେନ୍ସ କମିଟିର ସଭାପତି ଶ୍ରୀ ଅସୁତୋଷ ତ୍ରିପାଠୀ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ। ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କ୍ଲଷ୍ଟର ହେଡ୍ ଶ୍ରୀ କୈଳାଶ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। “ଡୁପ୍ଲିକେଟ ସଚିନ ତେନ୍ଦୁଲକର” ଭାବେ ପରିଚିତ ଶ୍ରୀ ବଲରାଜ ସିଂହ, ଟାଇମ୍ସ ଅଫ୍ ଇଣ୍ଡିଆର ସମ୍ପାଦକ ଶ୍ରୀ ନିର୍ମଳ ମିଶ୍ରଙ୍କ ସହ ଯୋଗଦେଇ କ୍ୟାନ୍ସର ରୋଗୀମାନଙ୍କ ମନରେ ଖୁସି ଓ ଉତ୍ସାହ ଭରିଦେଇଥିଲେ। ପ୍ରାୟ ୫୦ ଜଣ କ୍ୟାନ୍ସର ରୋଗୀ ଓ ତାଙ୍କ ସହଯାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସଭାକୁ ସମ୍ବୋଧିତ କରି ଶ୍ରୀ ସତୀଶ ପାଇ, ଡା. ବିପିନ ବିହାରୀ ମିଶ୍ରଙ୍କ ନେତୃତ୍ୱରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ କରୁଥିବା ସମାଜସେବାମୂଳକ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଶିକ୍ଷା, ପରିବେଶ, ସ୍ୱାସ୍ଥ୍ୟ ଓ କୌଶଳ ବିକାଶ କ୍ଷେତ୍ରରେ ଫାଉଣ୍ଡେସନର ଅବଦାନକୁ ସେ ସ୍ୱାଗତ କରିଥିଲେ। ଶ୍ରୀ ଗଣପତ କୋଠାରୀ ମଧ୍ୟ ଡା. ବିପିନ ବିହାରୀ ମିଶ୍ରଙ୍କ ସମାଜସେବା ପ୍ରତି ନିଷ୍ଠାକୁ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ସହଯୋଗ ଜାରି ରଖିବାକୁ ଆଶ୍ୱାସନ ଦେଇଥିଲେ।
କାର୍ଯ୍ୟକ୍ରମ ସମୟରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର କାର୍ଯ୍ୟରେ ସହଯୋଗ କରୁଥିବା ପ୍ରାୟ ୨୦ ଜଣ ସମର୍ଥକଙ୍କୁ ଫୁଲ, ଉତ୍ତରୀୟ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଡା. ବିପିନ ବିହାରୀ ମିଶ୍ର ହିନ୍ଦାଲକୋ ଇଣ୍ଡଷ୍ଟ୍ରିଜ୍, ଦାନଦାତା ଓ ସମର୍ଥକମାନଙ୍କୁ ହୃଦୟଙ୍ଗମ ଧନ୍ୟବାଦ ଜଣାଇଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁକାନ୍ତି ମିଶ୍ର ଶ୍ରୀମତୀ ପାଇଙ୍କୁ ସମ୍ମାନିତ କରିଥିଲେ। ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀ ବି.କେ. ପାଣିଗ୍ରାହୀଙ୍କ ନେତୃତ୍ୱରେ ଓ ଶ୍ରୀ ଦୀପକ ସାହୁ (ଭି.ପି., HDFC)ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ SBIର ଶ୍ରୀ ମନୋଜ ନାୟକ। ଶେଷରେ ସମସ୍ତ ଅତିଥି, କ୍ୟାନ୍ସର ରୋଗୀ, ସହଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା। କ୍ୟାପଟେନ୍ ଶେଲ୍ବି ମିଶ୍ର ଓ ସୌମ୍ୟ ମହାପାତ୍ର କ୍ୟାନ୍ସର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ସମାଜସେବା ଓ ମାନବିକତାର ସନ୍ଦେଶ ସହ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
