କେନ୍ଦ୍ରାପଡାରେ ଶିବାନନ୍ଦଙ୍କ ପୂଣ୍ୟତିଥି ପାଳିତ

କେନ୍ଦ୍ରାପଡ଼ା, ୨୦/୦୭/୨୦୨୫ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୬୨ତମ ପୂଣ୍ୟତିଥି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରାତଃ ନଗର ସଙ୍କୀର୍ତନ ଏବଂ ଶ୍ରୀ ଦିବ୍ୟ ବଳଦେବଜୀଉ ଓ ଶ୍ରୀଦିବ୍ୟେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଆଶ୍ରମର ପରାମାଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କର ପାଦପୂଜା କରିଥିଲେ ।

ଏହାପରେ ବିଶ୍ୱବନ୍ଦ୍ୟ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ଦର୍ଶନତତ୍ୱ ତଥା ମାନବ ସମାଜକୁ ତାଙ୍କର ଦିଗଦର୍ଶନ ଆଧାରିତ ଆଲୋଚନାଚକ୍ର ଶ୍ରୀ’ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀ’ମା ଶ୍ରଦ୍ଧାଳୁମାନଙ୍କୁ ଉପଦେଶ ଦେଇ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଆଦର୍ଶ ଜୀବନ ଶୈଳି ତଥା ଉପଦେଶାବଳୀକୁ ପାଥେୟ କରି କାର୍ଯ୍ୟ କଲେ ଧ୍ୱଂସାଭିମୂଖୀ ମାନବ ସମାଜର ଗତିପଥ ପରିବର୍ତନ ସମ୍ଭବ ହୋଇପାରିବ ବୋଲି କହିଥିଲେ । ଆଶ୍ରମର ସହସମ୍ପାଦକ ଶରତ ଚନ୍ଦ୍ର ବରାଳ ଗୁରୁବାଣୀ ପାଠ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଶ୍ରୀଧର ରାଉତ, ଶ୍ରୀଧର ମହାନ୍ତି, ଅର୍ଚ୍ଚନା ଗୋଏଙ୍କା ପ୍ରମୁଖ ଶିବାନନ୍ଦ ଦର୍ଶନ ତତ୍ୱ ଉପରେ ଆଲୋକପାତ କରିଥିଲେ । ଗରାପୁର,କପାଳେଶ୍ୱର, ଆଳିଜଙ୍ଗା ଓ ଚାରିଗାଁ ଗ୍ରାମର ଶତାଧିକ ଶ୍ରଦ୍ଧାଳୁମାନଙ୍କ ସମେତ ପ୍ରମୋଦ କୁମାର ଦାସ, ମନମୋହନ କବି, ଶ୍ରୀବତ୍ସ କୁମାର ନାୟକ, ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଶ୍ର’ମା ସମସ୍ତଙ୍କୁ ପ୍ରସାଦ ଓ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା ।

Leave a Reply

Your email address will not be published. Required fields are marked *