କୋରୁଆ ସରକାରୀ ଊଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ପାଟକୁରା,୧୭/୦୧/୨୦୨୬ (ଓଡିଶା ସମାଚାର)-ଆଜି ଗରଦପୁର ବ୍ଲକର ସର୍ବ ପୁରାତନ କୋରୁଆ ସରକାରୀ ଊଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ କ୍ରୀଡାରେ କୃତିତ୍ୱ ଅର୍ଜନ କରଥିବା ବିଦ୍ୟାର୍ଥୀ ମାନଙ୍କୁ ସାର୍ଟିଫିକେଟ ସହ ଶୀଲ ଓ କପ ଦିଆଯାଇ ପୁରସ୍କୃତ କରାଯାଇଛି । ଆୟୋଜିତ ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ବେହେରା ମଂଚାସୀନ ଥିଲେ ।

କ୍ରୀଡା ପ୍ରତିଯୋଗିତା ଯୋଗୁ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇଥାଏ ବୋଲି ମୁଖ୍ୟ ଅତିଥି ଅଧ୍ୟକ୍ଷ ବେହେରା କହିଥିଲେ । ଏତତ ବ୍ୟତୀତ ସେମାନଙ୍କ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ବିକାଶ ହୋଇଥାଏ । ମୁଖ୍ୟବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ କୁମାର ନାୟକ ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତା ମନୋଭାବ ରଖି ପାଠ ପଢିବା ସଂଗେ କ୍ରୀଡାରେ ଭଲ ପ୍ରଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

ସର୍ବ ପୁରାତନ କୋରୁଆ ସରକାରୀ ହାଇସ୍କୁଲର ଅନେକ କୃତୀ ବିଦ୍ୟାର୍ଥୀ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭକରିଛନ୍ତି ବୋଲି ମୁଖ୍ୟ ବକ୍ତା ଅଧ୍ୟକ୍ଷ ନାୟକ କହିବା ସହ ହାଇସ୍କୁଲର ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥିଭାବେ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ନାୟକ, ପଞ୍ଚଶଖାଶିକ୍ଷା ସେତୁ ସଭାପତି ଗୋପବନ୍ଧୁ ଖୁଣ୍ଟିଆ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ମନୋରଞ୍ଜନ ପଟନାୟକ, ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ବିଶ୍ୱାଳ ଓ ରମାକାନ୍ତ ତ୍ରିପାଠୀ ପ୍ରମୁଖ ମଂଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ, ଶୀଲ ଓ କପ ଦେଇ ପୁରସ୍କୃତ କରିଥିଲେ । ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *