୧୭ଜୁଲାଇ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଜିଲାବାସୀଙ୍କୁ କଂଗ୍ରେସ ଓ ବାମପନ୍ଥୀ ଦଳ ପକ୍ଷରୁ ନିବେଦନ

କେନ୍ଦ୍ରାପଡ଼ା, ୧୬/୦୭/୨୦୨୫(ଓଡ଼ିଶା ସମାଚାର)- ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଓ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ବ୍ୟବସ୍ଥା ଦାବିରେ ଆସନ୍ତା କାଲି ଆହୁତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ବୁଧବାର ପୂର୍ବାହ୍ନରେ କଜଳାସ୍ଥିତ କଂଗ୍ରେସ ଭବନରେ କଂଗ୍ରେସ ,ସିପିଆଇ(ଏମ୍) ଓ ସିପିଆଇ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।

କେନ୍ଦ୍ରାପଡା ଜିଲାର ସମସ୍ତ ଜନସାଧାରଣ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର ଏବଂ ସମାଜର ସମସ୍ତ ବର୍ଗଙ୍କୁ ଜୁଲାଇ ୧୭ରେ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ନିବେଦନ କରାଯାଇଛି । ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ ବିରୁଦ୍ଧରେ ଏହି ବନ୍ଦ ଓଡ଼ିଶା ଲୋକଙ୍କର ବନ୍ଦ ହେଉ ବୋଲି ମିଳିତ ବିରୋଧୀ ଦଳ ନିବେଦନ କରିଛନ୍ତି ।

ଏହି ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ଜିଲା ସଂଯୋଜକ ପ୍ରଫୁଲ୍ଲ ଦାସ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, କଂଗ୍ରେସ ସଂଖ୍ୟାଲଘୁ ସେଲ ନେତା ସୟଦ ଅବଦୁଲ ସତାର, ଯୁବକଂଗ୍ରେସ ନେତା ଉମେଶ ପାଢ଼ୀ,ସି ପି ଆଇ(ଏମ୍) ଜିଲା ସମ୍ପାଦକ ଗୟାଧର ଧଳ, ଅନ୍ୟତମ ନେତା ଜଗତଜୀବନ ଦାଶ, ସି ପି ଆଇ ରାଜ୍ୟ ସମ୍ପଦକମଣ୍ଡଳୀ ସଭ୍ୟ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଜିଲ୍ଲା ନେତୃବୃନ୍ଦ ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *