କନିଷ୍ଠ ଯନ୍ତ୍ରୀଙ୍କ ଘରୁ ୩୦ଲକ୍ଷ ଟଙ୍କାର ସୁନାଅଳଙ୍କାର ଚୋରି

କେନ୍ଦ୍ରାପଡ଼ା, ୧୬/୦୭/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ରାମିଆଗଞ୍ଜ ଗ୍ରାମରୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ୩୦ ଳକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଛି । ଏ ନେଇ କନିଷ୍ଠ ଯନ୍ତ୍ରୀ ଜଣକ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ସହ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି ।

କନିଷ୍ଠ ଯନ୍ତ୍ରୀ କମଳ ଲୋଚନ ଲେଙ୍କା କୌଣସି କାର୍ଯ୍ୟରେ ମଙ୍ଗଳବାର କେନ୍ଦ୍ରାପଡ଼ା ଯାଇଥିଲେ । ରାତିରେ ଫେରି ନଥିଲେ । ଘରେ ମଧ୍ୟ ତାଙ୍କର ଆଉ କେହି ସଦସ୍ୟ ନ ଥିଲେ । ଏହାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି । ତାଙ୍କ ଘରର ଗ୍ରୀଲ ତାଲା ଓ ଘରର କବାଟ ତାଲା ଭାଙ୍ଗି ଚୋରମାନେ ଘରେ ପଶିଥିଲେ । ଆଲମିରା ତାଡି ସୁନା ଅଳଙ୍କାର ଚୋରି କରିଛନ୍ତି । ଏ ସଂକ୍ରାନ୍ତରେ ମାର୍ଶାଘାଇ ଥାନାଧିକାରୀ ତପନ କୁମାର ନାୟକଙ୍କୁ ପଚାରିବାରୁ ସେ କହିଲେ କନିଷ୍ଠ ଯନ୍ତ୍ରୀ ଘରେ ନଥିବାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରେ ପଶି ଚୋରି କରିଛନ୍ତି ।

ଏ ସଂକ୍ରାନ୍ତରେ ଏକ ଚୋରି ମାମଲା ରୁଜୁ ହୋଇଛି । ଚୋରଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମାସିକ ଆୟ କେତେ ଯେ ଯାହା ଫଳରେ ସେ ଘରେ ୩୦ ଲକ୍ଷ ଟଙ୍କାର ସୁନା ଗହଣା କିଣି ରଖିଲେ । ତେଣୁ ଯନ୍ତ୍ରୀଙ୍କ ଆୟର ଉତ୍ସ ମଧ୍ୟ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *