‘କବି ନିଜ ଭିତରର ପ୍ରେରଣାକୁ ଅନୁସରଣ କରିଥାଏ’: କବି ମମତା ଦାଶ
ଭୁବନେଶ୍ୱର, ୩୧/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କବିତା ଆତ୍ମାର ଅନ୍ତରଙ୍ଗ ଉଚ୍ଚାରଣ । ଜୀବନ ଯେମିତି କବିତା ସେମିତି । କବିତା ମାଧ୍ୟମରେ ନିଜକୁ ପରଖି ହୁଏ ବୋଲି ବିଶିଷ୍ଟ କବି ମମତା ଦାଶ ମତବ୍ୟକ୍ତ କରିଛନ୍ତି ।
ଆଜି ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ଦାଶ ନିଜ ସୃଜନଯାତ୍ରାର ବିବରଣୀ ପ୍ରଦାନ କରିଛନ୍ତି । ପ୍ରସିଦ୍ଧ କବି ଡ. ସୌଭାଗ୍ୟ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉପସ୍ଥିତ ଲେଖକଲେଖିକାମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । ‘ମୋ ସୃଜନ, ମୋ ଜୀବନ’ ପ୍ରସଙ୍ଗରେ ଆଲୋକପାତ କରି କବି ଶ୍ରୀମତୀ ଦାଶ କହିଥିଲେ ଯେ ପ୍ରକୃତ କବି ନିଜ ଭିତରର ପ୍ରେରଣାକୁ ଅନୁସରଣ କରିଥାଏ । ସେ କବିତା, ଗଳ୍ପ, ପ୍ରବନ୍ଧ ରଚନା ଏବଂ ଅନୁବାଦରେ ଆଗ୍ରହ ରଖି ସୃଜନ ସାଧନା ଜାରି ରଖିଛନ୍ତି ବୋଲି ଦର୍ଶାଇ ତାଙ୍କ ସାରସ୍ୱତ ଜୀବନର ପ୍ରେରଣା ଓ ପରିବେଶ ଉପରେ ଉଲ୍ଲେଖ କରିଥିଲେ । ମୌସୁମୀ ଦାସ, ନନ୍ଦ କିଶୋର ବିଶ୍ୱାଳ ଓ ପ୍ରଦୀପ୍ତ କୁମାର ବାରିକଙ୍କ ପ୍ରଶ୍ନରେ କବି ଶ୍ରୀମତୀ ଦାଶ ଉତ୍ତର ରଖିଥିଲେ । ‘ଏ ମାସର କବି’ ଭାବରେ ଯୋଗଦେଇ ସୁଶ୍ରୀ ଐଶୂର୍ଯ୍ୟା ରାଉତ ସ୍ୱରଚିତ କବିତା ପାଠ କରିଥିଲେ । ପରେ ଅଭୟ ନାରାୟଣ ନାୟକ ଓ ମିନତୀ ମିଶ୍ରଙ୍କ ଯୁଗ୍ମ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଧୁଭୂଷଣ ତ୍ରିପାଠୀ, ଅଲେଖ ଚରଣ ରାଉତ, କୁମୁଦିନୀ ଜୀ, ଶଶିପ୍ରଭା ଦାସ, ପବିତ୍ର ମୋହନ ବାରିକ, ପ୍ରଣତି ପରିଡ଼ା, ନିରୁପମା ରଥ, ଅଶୋକ ସିଂହ, ମହେନ୍ଦ୍ର କୁମାର ମଲ୍ଲିକ, ଶ୍ୟାମାକିଙ୍କର ମହାନ୍ତି, ସୁବ୍ରତ ସେନାପତି, କ୍ଷଣପ୍ରଭା ମହାନ୍ତି, ପବିତ୍ର ମୋହନ କର, ମନମୋହନ ମିଶ୍ର, ଗଗନ ବିହାରୀ ନାୟକ, ରଜନୀ କାନ୍ତ ପଟ୍ଟନାୟକ, ପୁଷ୍ପଲତା ମିଶ୍ର, ଦିଲ୍ଲୀପ ନାୟକ, ପ୍ରତିମା ମିଶ୍ର, ପ୍ରକାଶ ଚନ୍ଦ୍ର ବେହେରା, ସୁବ୍ରତ ରଥ, ବିଷ୍ଣୁପ୍ରିୟା ଜେନା, ଇତିଶ୍ରୀ ପତି, ବଳଦେବ ବେରିହା, ଶୈଳେନ୍ଦ୍ର ଜେନା ପ୍ରମୁଖ କବିତା ପାଠ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।