‘ଉତ୍ତମ ବିଚାରଧାରା ଉନ୍ନତ ଭବିଷ୍ୟତ ତିଆରି କରେ’
କଟକ, ୨୬/୦୪/୨୦୨୪ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- “ତୁମ ଦକ୍ଷତାକୁ ଚିହ୍ନ । ତୁମ ଭିତରେ ଥିବା ଉର୍ଜା ତୁମକୁ ଆଗକୁ ନେବ । ଯେଉଁଥିରେ ତୁମେ ପାରଙ୍ଗମ, ସେ କ୍ଷେତ୍ରରେ କାର୍ଯ୍ୟକର । ଯାହା ତୁମକୁ ଖୁସି ଦେଉଛି ସେଥିରେ ମନୋନିବେଶ କର । ଉତ୍ତମ ବିଚାରଧାରା, ଏକ ଉନ୍ନତ ଭବିଷ୍ୟତ ଗଠନ ଦିଗରେ ନିଶ୍ଚିତ ରୂପେ ସହାୟକ ହେବ ।” ବାରବାଟୀ ଷ୍ଟାଡିୟମ ପରିସରସ୍ଥ ହର୍ଷଗେଟ୍ ସମ୍ମିଳନୀ କକ୍ଷରେ ଶୁକ୍ରବାର ଛାତ୍ରୀମାନଙ୍କୁ ନେଇ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଜୁ ଜନତା ଦଳର ଲୋକସଭା ସାଂସଦ ପ୍ରାର୍ଥୀ ଡଃ ସଂତୃପ୍ତ ମିଶ୍ର । ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟର ୪୦୦ରୁ ଅଧିକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ନିର୍ବାଚନ ଠାରୁ ଆରମ୍ଭ କରି ଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଦିଗରେ ପ୍ରାୟ ଏକ ଘଣ୍ଟାର ଆଲୋଚନା ହୋଇଥିଲା । ସାଂସଦ ପ୍ରାର୍ଥୀ ଡଃ ମିଶ୍ର ଛାତ୍ରୀମାନଙ୍କୁ ପ୍ରଥମେ ପ୍ରଶ୍ନ କରିଥିଲେ । ସେମାନଙ୍କ ଇଛା, ଆକାଂକ୍ଷା ଓ ଭବିଷ୍ୟତର ଲକ୍ଷ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରିଥିଲେ । ନିଜର ଦକ୍ଷତା ଉପରେ ଭରସା ନହେବା, ଆର୍ଥିକ ସମସ୍ୟା ଦେଖାଦେବା ଭଳି ପ୍ରସଙ୍ଗ ଛାତ୍ରୀମାନେ ଉପସ୍ଥାପନ କରିଥିଲେ । ତେବେ ଅନଲାଇନ୍ ଯୁଗର ଉଦାହରଣ ଦେଇ ସବୁକିଛି ଜ୍ଞାନକୌଶଳ ଏବେ ସହଜରେ ହାତ ପାଆନ୍ତାରେ ମିଳୁଛି, ଏଣୁ ଏହାର ସଦୁପଯୋଗ କରିବାକୁ ସାଂସଦ ପ୍ରାର୍ଥୀ ଡଃ ମିଶ୍ର ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସାଂସଦ ପ୍ରାର୍ଥୀ ଡଃ ମିଶ୍ରଙ୍କୁ ଛାତ୍ରୀମାନଙ୍କ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା । ଜଣେ ସଫଳ ରାଜନେତା ହେବା ପାଇଁ କେଉଁ ପନ୍ଥା ଗ୍ରହଣ କରିବାକୁ ପଡିବ ବୋଲି କାର୍ଯ୍ୟକ୍ରମରେ ପ୍ରଶ୍ନ ଉଠିଥିଲା । ଏହାର ଉତ୍ତରରେ ଡଃ ମିଶ୍ର କହିଥିଲେ ଯେ, ତୁମ ଅର୍ନ୍ତନିହିତ ଗୁଣକୁ ପରିପ୍ରକାଶ କରିବାକୁ ସବୁବେଳେ ଉଦ୍ୟମ କର । ଶିକ୍ଷା ହେଉ କି ରାଜନୀତି, ଯଦି ତୁମେ ଉତ୍ତମ ବିଚାରଧାରା ରଖି କାର୍ଯ୍ୟ କରିବ, ତାହେଲେ ନିହାତି ରୂପେ ସଫଳ ହେବ । ସେହିପରି ସ୍ୱୟଂ ଶାସିତ ମାନ୍ୟତା ପାଇଥିବା ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦିଗରେ ଆଲୋଚନା ହୋଇଥିଲା । ସାଂସଦ ପ୍ରାର୍ଥୀ ଡଃ ମିଶ୍ରଙ୍କ ମା’ ସରଜୁବାଳା ମିଶ୍ର ଏହି ମହାବିଦ୍ୟାଳୟର ପୁରାତନ ଛାତ୍ରୀ । ଏଣୁ ଏହି ଦୃଷ୍ଟିରୁ ଶୈଳବାଳା ମହାବିଦ୍ୟାଳୟ ପ୍ରତି ପରୋକ୍ଷରେ ଏକ ନିବିଡ ସମ୍ପର୍କ ରହିଛି ବୋଲି ସେ କହିଥିଲେ । ଏତଦବ୍ୟତୀତ ସମସ୍ତେ ଆଗାମୀ ସାଧାରଣ ନିର୍ବାଚନରେ ନିଜ ମତଦାନ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସଫଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିଜ ଭୋଟ୍ ଦେବା ପୂର୍ବରୁ ପ୍ରାର୍ଥୀଙ୍କୁ ଚିହ୍ନ । ଗୁଗୁଲ୍ର ବ୍ୟବହାର କରି ସେମାନଙ୍କ ବିଷୟରେ ଜାଣିବା ପରେ ନିଜ ମୂଲ୍ୟବାନ ଭୋଟ ଯୋଗ୍ୟ ପ୍ରାର୍ଥୀଙ୍କୁ ଦେବାକୁ ସାଂସଦ ପ୍ରାର୍ଥୀ ଡଃ ମିଶ୍ର ଛାତ୍ରୀମାନଙ୍କୁ ନିବେଦନ କରିଥିଲେ । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପର୍ଯ୍ୟବେକ୍ଷକ ଶୋଭେନ ମହାନ୍ତି ଯୋଗ ଦେଇଥିଲେ । ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରୀତି ପ୍ରିୟଙ୍କା, ସନ୍ତୋଷ ମହାପାତ୍ର, ଦେବାଶିଷ ସ୍ୱାଇଁ, କଟକ ଜିଲ୍ଲା ଛାତ୍ର ବିଜେଡି ସଭାପତି ଆସିଫ ଅମିନ ପ୍ରମୁଖ ଉପସ୍ଥିତ ଥିଲେ ।