ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

କେନ୍ଦ୍ରାପଡ଼ା, ୧୬/୦୭/୨୦୨୫ (ଓଡ଼ିଶା ସମାଚାର)- ମୋହନ ମାଝୀଙ୍କ ପ୍ରଥମ କେନ୍ଦ୍ରାପଡ଼ା ଜିଲା ଗସ୍ତ ବେଳେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିବା ହେଲିକପ୍ଟରଟି ୫ ସପ୍ତାହ ପରେ ମରାମତି ନିମନ୍ତେ ମୁମ୍ବାଇ କୁ ପଠାଯାଇଛି । ଏହାକୁ ଏକ ଟ୍ରଲର ଉପରେ କ୍ରେନ ସହାୟତାରେ ରଖାଯାଇ ମୁମ୍ବାଇ ନିଆଯାଇଛି । ହେଲିକପ୍ଟର ଟ୍ରକରେ ଲୋଡ ହେବା ପୂର୍ବରୁ ତା’ର ଦୁଇଟି ଡେଣାକୁ ଖୋଲି ଦିଆଯାଇଥିଲା । ଏହା ପୂର୍ବରୁ ହେଲିକପ୍ଟରରୁ ଇନ୍ଧନ ଖାଲି କରିଦିଆଯାଇଥିଲା । ଫଳରେ ହେଲିକପ୍ଟରଟି ସୁରକ୍ଷିତ ଭାବେ ମୁମ୍ବାଇ ସ୍ଥାନାନ୍ତର ହୋଇ ପାରିବ । ସେଠାରେ ଏହାର ମରାମତି କରାଯିବ ବୋଲି ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି ମୁମ୍ବାଇରୁ ଇଞ୍ଜିନିୟରମାନେ ଆସି ପ୍ରଥମେ ହେଲିକପ୍ଟରରୁ ଇନ୍ଧନ ଖାଲି କରିଥିଲେ ।

ଏହାପରେ ହେଲିକପ୍ଟରର ଡେଣା ଖୋଲାଯାଇଥିଲା । କ୍ରେନ୍ ସାହାଯ୍ୟରେ ହେଲିକପ୍ଟରକୁ ଟ୍ରଲରରେ ଲୋଡ କରାଯାଇଥିଲା । ଏହାପରେ ଟ୍ରଲରଟି ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନମାସ ୯ ତାରିଖରେ ତାଙ୍କର ପ୍ରଥମ କେନ୍ଦ୍ରାପଡା ଜିଲା ଗସ୍ତ କରିଥିଲେ । ଏଠାରୁ ଫେରିବା ବେଳେ ସେହି ଦିନ ଅପରାହ୍ଣରେ ବଜ୍ରପାତ ସହ ବର୍ଷା ହୋଇଥିଲା । ବଜ୍ରପାତ ପ୍ରଭାବରେ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା । ଫଳରେ ହଲିକପ୍ଟରଟି ଷ୍ଟାର୍ଟ ହୋଇପାରି ନଥିଲା ।

ଏଥିପାଇଁ ପାଇଲଟ ହେଲିକପ୍ଟର ଉଡାଇବା ପାଇଁ ବାରଣ କରିଥିଲେ । ପାଇଲଟ ହେଲିକପ୍ଟର ଯାଂଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ସେଥିରେ ତ୍ରୁଟି ଦେଖା ଦେଇଛି । ଏହା ଉଡ଼ି ପାରିବ ନାହିଁ । ଗୋଟିଏ ପକ୍ଷରେ ପାଗ ପ୍ରତିକୂଳ ଥିଲା ଓ ଅନ୍ୟପକ୍ଷରେ ହେଲିକପ୍ଟରରେ ତ୍ରୁଟି ଦେଖା ଦେଇଥିଲା । ଫଳରେ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ କାର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ । ସେବେଠାରୁ ହେଲିକପ୍ଟରଟି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଥୁଆ ହୋଇଥିଲା । ଗତ ୧୨ ତାରିଖରେ ଏକ ବୈଷୟିକ ଦଳ ମୁମ୍ବଇରୁ ଆସି ହେଲିକପ୍ଟରରୁ ତେଲ ଖାଲି କରିଥିଲେ । ଆଜି ସେହି ହେଲିକପ୍ଟରଟି ମୁମ୍ବାଇ ଯାଇଛି ।

Leave a Reply

Your email address will not be published. Required fields are marked *