ଭୁବନେଶ୍ୱର,୧୧/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ନାଗରିକ ଦେଖିବେ ବିକାଶର ଚିତ୍ର । ନିଜ ସହର ଓ ନିଜ ଅଂଚଳକୁୂ କେମିତି ଭଲ ଭାବେ ଗଢ଼ି ତୋଳିହେବ ତାହା ଉପରେ ସୁଚିନ୍ତିତ ମତାମତ ଦେବା ସହ କାର୍ଯ୍ୟର ତଦାରଖ କରିବେ । ଏଭଳି ଅଭିନବ ଢ଼ଙ୍ଗରେ ‘ସିଟିଜନ ଇଂଟରଫେସ୍’ ଜରିଆରେ ଲୋକଙ୍କ ସହ ମିଶିବାକୁ ପ୍ରଚେଷ୍ଟା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏଥିପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରଦାନ କରିଛନ୍ତି । ଗୁରୁବାର ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିକାଶ କାର୍ଯ୍ୟ ନାମକ ଏକ ବୁକଲେଟ୍ ବାଂଟିବା ପରେ ଗଣମାଧ୍ୟମକୁ ଅପରାଜିତା କହିଛନ୍ତି ଯେ, କେବଳ କଥାରେ ନୁହେଁ, ଦେଇଥିବା କଥାକୁ କାମରେ ପରିଣତ କରି ଦେଖାଇବାକୁ ପଡ଼ିବ ।
ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ବାସ୍ତବତାର ରୂ ଦେବାକୁ ହେବ । ସେଥିପାଇଁ ସବିଶେଷ ତଥ୍ୟକୁ ଭୋଟରଙ୍କ ସାମ୍ନାରେ ରଖିଛି । ଅପରାଜିତା କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ସାଂସଦ ହିସାବରେ ଲୋକଙ୍କ ଲାଗି କ’ଣ ସବୁ ବିକାଶ ମୂଳକ ପଦକ୍ଷେପ ନେଇଛନ୍ତି ତାର ଏକ ଲମ୍ୱା ତାଲିକା ପ୍ରଦାନ କରାଯାଇଛି । ୧୮ ପୃଷ୍ଠା ବିଶିଷ୍ଟ ଏହି ବୁକଲେଟ୍ ରେ ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ ଭୁବନେଶ୍ୱର ଉତର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ନିର୍ବାଚନ ମଣ୍ଡଳୀୱାରି ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟର ତଥ୍ୟ ରଖାଯାଇଛି ।
ମୋଟ୍ ଶହେ ଜଣଙ୍କୁ ଏହି ବୁକ୍ ଲେଟ୍ ପ୍ରଦାନ କରାଯାଇଛି । ଏଥିରେ ସହିଦ ନଗରଠାରେ ସ୍ଥାୟୀ ହାଟଠୁ ଆରମ୍ଭ କରି ସତସଙ୍ଗ ବିହାର ନିକଟରେ ଫୁଟ୍ ଓଭରବ୍ରିଜ୍, ନୟାପଲ୍ଲୀ କମୁ୍ୟନିଟି ପାର୍କ ନିର୍ମାଣ ଲାଗି ଜମି ପ୍ରଦାନ, ଅତ୍ୟାଧୁନିକ ଫିସ୍ ମାର୍କେଟ୍ ଓ ମଣ୍ଡି ଲାଗି ଜମି ପ୍ରଦାନ ସହ କାର୍ଯ୍ୟ ଆରମ୍ଭ, ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସଂସ୍କୃତି ହଲ୍ ନିର୍ମାଣ ଲାଗି ଭିତିପ୍ରସ୍ତର ସ୍ଥାପନ, ଖୋର୍ଦ୍ଧା ଟାଉନ ବାଇପାସ୍, ଜଟଣୀରେ କ୍ୟାନ୍ସର ହସପିଟାଲ ସ୍ଥାପନ ଭଳି ଉନ୍ନତି ମୂଳକ ପଦକ୍ଷେପମାନଙ୍କର ସବିଶେଷ ତଥ୍ୟ ରହିଛି ।
ସେହିଭଳି ବାଲିଅନ୍ତା ଯଶୁଆପୁରରେ ହେଲ୍ଥ-ସବ୍ ସେଂଟର ର ଉଦ୍ଘାଟନ ହେଉ କି ବାଲିଅନ୍ତା ବ୍ଲକ୍ ର ଜଗନ୍ନାଥପୁର ପଂଚାୟତରେ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ସିଲେଇ ଶିଳ୍ପ ସମ୍ପର୍କରେ ମଧ୍ୟ ତଥ୍ୟରଖାଯାଇଛି । ଏହି ଶିଳ୍ପ ଦ୍ୱାରା ୧୦ ହଜାର ପୁରୁଷ ଏବଂ ମହିଳାଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ଦାବି କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ସେହିଭଳି ବ୍ରହ୍ମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିର ଭଳି ବିଭିନ୍ନ ମନ୍ଦିରର ଉନ୍ନତିକରଣ ହେଉ କି ତରାବୋଇ ରେଳ ଷ୍ଟେସନର ଭିତି ପ୍ରସ୍ତର ସ୍ଥାପନ, ତିନୋଟି ସୌର ଚାଳିତ ଶୀତଳ ଭଣ୍ଡାରର ଉଦଘାଟନ, ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ, ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ପରିଣତ କରିବା, ଜଟଣୀରେ ରେଳ ଓଭରବ୍ରିଜ୍ ନିର୍ମାଣର ତଥ୍ୟ ମଧ୍ୟ ଜନସାଧାରଣଙ୍କୁ ପ୍ରଦାନ କରିଛନ୍ତି ।
ସେହିଭଳି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୭୫୦୦ରୁ ଊର୍ଦ୍ଧ୍ୱ ସିଙ୍ଗଲ ସୋଲାର ଲାଇଟ୍ ଲଗାଇବା ସହ ୧୫୩ଟି ହାଇମାଷ୍ଟ ସୋଲାର ଲାଇଟ୍ ଏବଂ ୨୦ଟି ମିନିମାଷ୍ଟ ସୋଲାର ଲାଇଟ୍ ଲଗାଇଥିବା ମଧ୍ୟ ଦର୍ଶାଇଛନ୍ତି । ସେ ପୁଣି କହିଛନ୍ତି ଯେ, ବିଏମସି ପକ୍ଷରୁ ୧୬୦ଟି ଭିନ୍ନ ଭିନ୍ନ ପ୍ରକଳ୍ପ ଲାଗି ଡକାଯାଇଥିବା ଟେଣ୍ଡରର ସବିଶେଷ ତଥ୍ୟ ମଧ୍ୟ ଏହି ବୁକଲେଟ ରେ ସ୍ଥାନ ପାଇଛି । ଆଉ ଆଗକୁ ଏସବୁ ପ୍ରକଳ୍ପ କିମ୍ୱା କାର୍ଯ୍ୟରେ କିଛି ବି ବ୍ୟତିକ୍ରମ ଦେଖିଲେ ବିଭାଗୀୟ ଅଧିକାରୀ କିମ୍ୱା ସାଂସଦଙ୍କୁ ଅଭିଯୋଗ ମଧ୍ୟ କରି ପାରିବେ ବୋଲି ଅପରାଜିତା ସ୍ପଷ୍ଟ କରିଛନ୍ତି ।
