୪ ଜିଲା ପାଇଁ ୧୦ କୋଟି ରିଲିଫ

ଭୁବନେଶ୍ୱର,୨୯/୦୯/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ନିକଟରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ୪ ଜିଲଳ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ୧୦ କୋଟି ଟଙ୍କା ମଞ୍ଜୁର କରିଛି ଏବଂ ଏହି ଅର୍ଥ ଯେପରି ବିଳମ୍ବ ନ ହୋଇ ଯୋଗ୍ୟ ପରିବାରମାନଙ୍କ ନିକଟରେ ପହଂଚିବ, ସେଥିପାଇଁ ନିର୍ଦେଶ ଦେଇଛି ।ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ଆଜି ଏକ ଚିଠି ମାଧ୍ୟମରେ ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ଝାରସୁଗୁଡ଼ା ଜିଲାର ଜିଲାପାଳମାନଙ୍କୁ ଜଣାଇଛନ୍ତି ଯେ ତିନୋଟି ବର୍ଗରେ ଏହି ପାଣ୍ଠି ଆବଂଟନ କରାଯାଇଛି । ଘର ନିର୍ମାଣ ସହାୟତା, ଫସଲ କ୍ଷତି ସହାୟତା ଏବଂ ରିଲିଫ୍ କ୍ୟାମ୍ପ ଖର୍ଚ୍ଚ ।ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍ ଖୋଲାଯିବା ପରେ ଯେଉଁଠାରେ ସର୍ବାଧିକ ବର୍ଷା ଓ ବ୍ୟାପକ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା, ସେହି ନବରଙ୍ଗପୁର ଜିଲାକୁ ସର୍ବାଧିକ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ହଠାତ୍ ଆସିଥିବା ବନ୍ୟା, ଘର ଭୁଶୁଡ଼ିବା ଏବଂ ବ୍ୟାପକ ସ୍ଥାନାନ୍ତର ପ୍ରକ୍ରିୟାର ସମ୍ମୁଖୀନ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରତ୍ୟେକଙ୍କ ପାଇଁ ୨ କୋଟି ଟଙ୍କା ଲେଖାଏଁ ଆବଂଟନ କରାଯାଇଛି । ଝାରସୁଗୁଡ଼ାକୁ ୧ କୋଟି ଟଙ୍କା ଦିଆଯାଇଛି । ଚିଠିରେ ସେପ୍ଟେମ୍ବର ୨୮ ତାରିଖରେ ଜାରି କରାଯାଇଥିବା ପୂର୍ବ ନିର୍ଦେଶାବଳୀର ଉଲ୍ଲେଖ ରହିଛି ଏବଂ ଜିଲାପାଳମାନଙ୍କୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ପ୍ରାପ୍ୟ ରିଲିଫ୍ ପ୍ରଦାନ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *