ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପ ପୁଅଙ୍କ ମୃତ୍ୟୁ

                କ୍ଷତି ପୂରଣ ଦାବି କରି ମେଡିକାଲ ଆଗରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ, ପ୍ରତିଶୃତି ପରେ ହଟିଲା

ବାଲିଗୁଡ଼ା,୦୯/୦୬/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ରବିବାର ଉଭୟ ବାପ ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା ପଞ୍ଚାୟତର ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍ ଭ୍ୟାନ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାପ ପୁଅ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପ୍‌ ଭ୍ୟାନକୁ ଅଟକ ରଖିବା ସହ ପୁଲିସକୁ ଜଣାଇଥିଲେ । ଉଭୟ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ବାପ ହେମ କହଁରକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ପୁଅ ନୀଳମଣିକୁ ଅଧିକ ଚିକିତ୍ସା ଲାଗି ଫୁଲବାଣୀ ମେଡିକାଲକୁ ପଠାଇଥିଲେ । କିନ୍ତୁ ଅଧା ବାଟରେ ନୀଳମଣିଙ୍କର ମୃତ୍ୟୁ ହୋଇଥିଲା ।

କ୍ଷତି ପୂରଣ ଦାବି ରେ ସୋମବାର ବାଲିଗୁଡ଼ା ଉପଖଣ୍ଡ ମେଡିକାଲ ସମ୍ମୁଖରେ ମୃତକଙ୍କ ସମ୍ପର୍କୀୟ ୫ ଲକ୍ଷ ଦାବି କରି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ଏକ ଘଣ୍ଟା ଧରି ଚାଲିଥିବା ରାସ୍ତା ରୋକରୁ ସମ୍ପର୍କୀୟଙ୍କୁ ହଟାଇବା ସହ ଦାବି ଅନୁଯାୟୀ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା  ।

Leave a Reply

Your email address will not be published. Required fields are marked *