କଟକ,୦୯/୦୬/୨୦୨୫(ଓଡ଼ିଶା ସମାଚାର)- ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର ଦିନିକିଆ କଟକ ଜିଲା ଗସ୍ତରେ ଆସି ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସ୍ଥିତି ଓ କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଉପଆୟୁକ୍ତ କମିଶନରେଟ୍ ପୁଲିସ୍ ଖିଲାରି ଋଷିକେଷ ଦ୍ୟାନଦେଓ କଟକ ସହରର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିବାବେଳେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଜିଲାର ବିଭିନ୍ନ ଅଂଚଳରେ ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ନିୟନ୍ତ୍ରଣ କରାଯାଉଥିବା ବିଷୟ ଉଲ୍ଲେଖ କରିଥିଲେ । ଜିଲାର ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶକ୍ତି ଓ ଶିଳ୍ପ କ୍ଷେତ୍ରର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଜିଲାର ପ୍ରମୁଖ ବିକାଶମୂଳକ ପ୍ରକଳ୍ପ, ଏସସିବି ମେଡିକାଲ କଲେଜ ହସପିଟାଲ, ଚଣ୍ଡୀ ମନ୍ଦିର, ସତ୍ୟଭାମାପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ, ତାରକସି ହବ୍, ମହାନଦୀ ତଟବର୍ତୀ ବିକାଶ ପ୍ରକଳ୍ପ ଆଦିର ବର୍ତର୍ମାନର ସ୍ଥିତି ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅବଗତ ହୋଇଥିଲେ । କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ଚାଷୀ ତଥା ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ, ଜୈବିକ କୃଷି, ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, ସହର ଉନ୍ନତିକରଣ, ସ୍ୱଚ୍ଛତା ଆଦି ଦିଗରେ ପଦକ୍ଷେପ ନେବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିସହ ନବୀକରଣ କରାଯାଇଥିବା ସହିଦ୍ ଭବନ ଓ ବାରବାଟୀ ଫୁଡ୍ କୋର୍ଟ ଖୁବ୍ ଶୀଘ୍ର ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସମୀକ୍ଷା ବୈଠକରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ.ସୋଫିଆ ଫିର୍ଦ୍ଧୋଷ, ନିଆଳି ବିଧାୟକ ଛବି ମଲ୍ଲିକ, ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଡିସିି କଟକ ଖିଲାରି ଋଷିକେଷ ଦ୍ୟାନଦେଓ, ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, କଟକ ମହାନଗର ନିଗମ ଆୟୁକ୍ତ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ, ଅତିରିକ୍ତ ଜିଲାପାଳ ଡଃ ଦିବ୍ୟଲୋଚନ ମହନ୍ତ, ଅତିରିକ୍ତ ଜିଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଉପ ଜିଲାପାଳ କଟକ ସଦର, ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପଜିଲାପାଳ ଆଠଗଡ ପ୍ରହ୍ଲାଦ ନାରାୟଣ ଶର୍ମା, ଉପଜିଲାପାଳ ବାଙ୍କୀ ପ୍ରଣବ କୁମାର ବେହେରା ଓ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ପୂର୍ବାହ୍ନରେ ଉପମୁଖ୍ୟମନ୍ତ୍ରୀ ଆସନ୍ତା ୧୩ ତାରିଖରେ ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲାସ୍ତରୀୟ ନାରୀ ଶକ୍ତି ସମ୍ମିଳନୀ ପ୍ରସ୍ତୁତି ବୈଠକରେ ଯୋଗଦେଇ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଡିସିି କଟକ ଖିଲାରି ଋଷିକେଷ ଦ୍ୟାନଦେଓ, ମିଶନ ଶକ୍ତି ନିର୍ଦ୍ଧେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଧେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ, ଡଃ ଦିବ୍ୟଲୋଚନ ମହନ୍ତ, ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲା ବିଜେପି ସଭାପତି ରାମା ନାରାୟଣ ଦାସ ଓ ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।