ଓଡ଼ିଶାକୁ ବାତ୍ୟା ଭୟ ନାହିଁ – ଆହୁରି ୭ ଦିନ କାଳବୈଶାଖୀ

ଭୁବନେଶ୍ୱର,୨୧/୦୫/୨୦୨୫ (ଓଡ଼ିଶା ସମାଚାର)-“ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ବେଙ୍ଗାସାଗରରେ ବାତ୍ୟା ଓ ଓଡ଼ିଶାରେ ଏହାର ପ୍ରଭାବକୁ ନେଇ ଆଇଏମଡି ତରଫରୁ କିଛି ଆକଳନ କରାଯାଇ ନାହିଁ । ଆଗାମୀ ୫ ଦିନ ମଧ୍ୟରେ ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ । ବାତ୍ୟାର ନିୟାମକ ସ୍ପଷ୍ଟ ହେଲେ ଆଇଏମଡି ପକ୍ଷରୁ ଆଗୁଆ ସୂଚନା ଦିଆଯିବ । ବାତ୍ୟା ହେବା ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ । ଏଭଳି ଗୁଜବଠାରୁ ଦୂରେଇ ରହିବାକୁ ଆଂଚଳିକ ପାଣିାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ କାଳବୈଶାଖୀ ବର୍ଷା ଆସନ୍ତା ୭ ଦିନ ଯାଏ ରାଜ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳରେ ଗୁଳୁଗୁଳି ଅଣାୟତ କରିବ । ଉତର ଉପକୂଳ ଜିଲାଗୁଡ଼ିକୁ ପାଣିାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଦେଇଛି । ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ରହିବ । ଫଳରେ ଦିନର ତାପମାତ୍ରାରେ ବିଶେଷ ବୃଦ୍ଧି ହେବ ନାହିଁ । ଆସନ୍ତା ୨୪ ଘଂଟାରେ ପଶ୍ଚିମ ଆଭ୍ୟନ୍ତରୀଣ ଜିଲାଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲା କାଳବୈଶାଖୀରେ ପ୍ରଭାବିତ ହେବ ।

ହାଲୁକା ବର୍ଷାର ସମ୍ଭାବନା ସହ ୨ ଦିନ ଯାଏ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ହାଲୁକା ବର୍ଷା ସହ ବଜ୍ରପାତକୁ ନେଇ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲାକୁ ପାଣି ପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏସବୁ ଜିଲାରେ ଘଣ୍ଟାପ୍ରତି ପବନର ବେଗ ୩୦-୪୦ କିମି ରହିବ । ୨୨ ତାରିଖରେ ପବନର ବେଗ ବଢ଼ି ୪୦ରୁ ୫୦ କିମି ହୋଇପାରେ । ଏହାସହ ବିଜୁଳି ଘଡ଼ଘଡ଼ି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୨୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଂଟାପ୍ରତି ୪୦-୫୦ କିମି ରହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ତାରିଖରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୪୦-୫୦ କିମି ବହିବାର ସମ୍ଭାବନା ରହିଛି ।

ଏଥିପାଇଁ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେପଟେ ମୌସୁମୀ ବାୟୁ କେରଳ ଛୁଇଁବ । ଏଥିପାଇଁ ପାଗ ଅନୁକୂଳ ହେଉଛି । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି । ଫଳରେ ଏଥର ଶୀଘ୍ର ମୌସୁମୀ ଆସିବା ଆକଳନ ସତ ହେବାକୁ ଯାଉଛି ।

ସାଧାରଣତଃ ଜୁନ୍ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଥାଏ । କିନ୍ତୁ ଏଥର ମୌସୁମୀ ବାୟୁ ସଅଳ କେରଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *