କେନ୍ଦ୍ରାପଡ଼ା,୦୨/୧୧/୨୦୨୪ (ଓଡ଼ିଶା ସମାଚାର)- ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାର୍ଯ୍ୟରତ ୱାର୍ଡେନ ବିଜୟ ପରିଡାଙ୍କ ସନ୍ଦେହ ଜନକ ଭାବେ ମୃତୁ୍ୟ ହୋଇଯାଇଥିବା ସୂଚନା ମିଳିଛି । କାରାଗାର ନିକଟସ୍ଥ ବାରାକ୍ ରେ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ସହକର୍ମୀମାନେ ବିଜୟଙ୍କୁ ବାରାକ୍ ର ସିଲିଂଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ଶୁକ୍ରବାର ଅପରାହ୍ନ ୧୨ଟାରେ ବିଜୟ ଡୁ୍ୟଟି ସାରି ବାରାକ୍କୁ ଫେରିଥିଲେ । ଅନ୍ୟ ସହକର୍ମୀମାନେ ସନ୍ଧ୍ୟାରେ ଡୁ୍ୟଟି ସାରି ବାରାକ୍ କୁ ଫେରିବା ପରେ ବିଜୟକୁ ସିଲିଂ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ବିଜୟଙ୍କ ମୃତୁ୍ୟର କାରଣ ଜଣାପଡିନଥିବା ବେଳେ ତାଙ୍କର ମୃତୁ୍ୟ ସନ୍ଦେହ ଘେରରେ ରହିଥିବା ସହକର୍ମୀଙ୍କ ଠାରୁ ଜଣାପଡିଛି । ବିଜୟଙ୍କ ଘର ଆଠଗଡର ଗୁରୁଡିଝାଟିଆ ବୋଲି ଜଣାପଡିଛି । ଖବର ପାଇ ମୃତକ ବିଜୟଙ୍କ ଦାଦା ଶିବରାମ ପରିଡା ଓ ଭାଇ ଜିତେନ୍ଦ୍ର ପରିଡା ପହଂଚିବା ପରେ କହିଛନ୍ତି ଯେ ବିଜୟ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ବିଜୟଙ୍କ ମୃତୁ୍ୟ ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଜୟ ବିବାହିତ ଓ ତାଙ୍କର ୩ବର୍ଷର ଏକ ଝିଅ ଅଛି । ବିବାହ ପୂର୍ବରୁ ବିଜୟଙ୍କର ଗୁରୁଡିଝାଟିଆ ନିକଟସ୍ଥ କପୁରସିଂ ଅଳର ରଶ୍ମୀରେଖା ନାମ୍ନୀ ଏକ ଝିଅ ସହିତ ପ୍ରେମ ସମ୍ପର୍କ ଥିଲା । ବିଜୟଙ୍କ ବିବାହ ପରେ ରଶ୍ମୀରେଖା ବିଜୟଙ୍କୁ ବ୍ଲାକମେଲ କରୁଥିବା ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବିଜୟଙ୍କ ପରିବାର ସୁତ୍ରରୁ ଜଣାପଡିଛି । ଏମିତିକି ରଶ୍ମୀରେଖା ବାରିମୂଳସ୍ଥିତ ଉପକାରାଗାର ନିକଟକୁ ଆସି ବିଜୟକୁ ମାଡ ମାରିଥିବା ବେଳେ ତାଙ୍କୁ ଧମକ ଦେଇଥିବା ବିଜୟଙ୍କ ଦାଦା ଅଭିଯୋଗ କରିଛନ୍ତି । ଖବରପାଇ ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସାଇଂଟିଫିକ ଟିମ ସହିତ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ଥାନାଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଜେଲ ବିଭାଗର ଉଚ୍ଚ ଅଧିକାରୀ ମଧ୍ୟ ଖବର ପାଇ ଘଟଣାସ୍ଥଳରେ ପହଂଚି ଥିବା ଜଣାପଡିଛି ।