ରାଜ୍ୟରେ ବସ୍ ଭଡ଼ା ବଢ଼ିଲା

ଭୁବନେଶ୍ୱର,୧୨/୧୧/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍ ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ନୂଆ ଭଡ଼ା ଲାଗୁ ହେବା ପରେ ଯାତ୍ରୀଙ୍କ ଉପରେ ଅଧିକ ଆର୍ଥôକ ବୋଝ ପଡ଼ିବା ଆଶଙ୍କା ରହିଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅର୍ଡିନାରୀ ବସ୍ ର କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି ।

ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ବଢ଼ି ୧ ଟଙ୍କା ୨୪ ପଇସା ହୋଇଛି । ପ୍ରଥମ ଥର ପାଇଁ ବସ୍ ଭଡ଼ା ତାଲିକାରେ ସେମି ଡିଲକ୍ସ କାଟାଗୋରୀକୁ ସାମିଲ କରାଯାଇଛି । ଏହି ବର୍ଗର ବସ୍ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୫ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୪୧ ପଇସା ହୋଇଥିବା ବେଳେ, ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୬୩ ପଇସାରୁ ୧ ଟଙ୍କା ୯୯ ପଇସାକୁ ବୃଦ୍ଧି କରାଯାଇଛି ।

ସେହିପରି ସୁପର ପ୍ରିମିୟମ୍ ବସ୍ ଭଡ଼ା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି । ସୁପର ପ୍ରିମିୟମ୍ ଡିଲକ୍ସ ବସ୍ ଭଡ଼ା ୩ ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୪ ଟଙ୍କା ୬୧ ପଇସା ହୋଇଛି । ସ୍ଲିପର ଏସି କୋଚ୍ ପାଇଁ ମଧ୍ୟ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି । ସୂଚନା ଅନୁଯାୟୀ, ବସ୍ ର ରକ୍ଷଣାବେକ୍ଷଣ, ବୀମା, ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ଦୀର୍ଘଦିନ ଧରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଭଡ଼ା ବୃଦ୍ଧି ପାଇଁ ଦାବି ହୋଇଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ବସ୍ ଭଡ଼ା ସଂଶୋଧନ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *