ଓଏଏସ୍ ସ୍ତରରେ ପୁଣି ବଡ଼ ଅଦଳବଦଳ

୬ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର,୧୨/୧୧/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଏଏସ୍ ସ୍ତରରେ ପୁଣି ବଡ଼ ଅଦଳବଦଳ । ୬ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ୩ ଜଣଙ୍କ ବଦଳି ନିର୍ଦେଶ ବାତିଲ କଲେ ସରକାର । ଏକାଧିକ ଓଏଏସ୍ ଅଧିକାରୀଙ୍କ ବଦଳି ଓ ନୂଆ ନିଯୁକ୍ତି ନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରିଛନ୍ତି । ୬ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ୩ ଜଣଙ୍କ ପୂର୍ବ ବଦଳି ନିର୍ଦେଶ ବାତିଲ କରାଯାଇଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ସଚିବ ଘାସିରାମ ମୁର୍ମୁଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ବେଦବନ୍ଧୁ ମିଶ୍ରଙ୍କୁ ରାଜ୍ୟ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ନିର୍ଦେଶକ ଥିବା ଶୁଭଦର୍ଶିନୀ ସ୍ୱାଇଁଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ମହାପ୍ରବନ୍ଧକ ବିଶ୍ୱନାଥ ସାହୁଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପସଚିବ ଭାବେ ନିଯୁକ୍ତି ଦିଆଯାଇଛି । କର୍ଣ୍ଣଦେବ ସମାଦ୍ଧାରଙ୍କୁ କୁଚିଣ୍ଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଛି । ଅନ୍ୟପଟେ ଅକ୍ଟୋବର ୩୦ ତାରିଖରେ ଜାରି ହୋଇଥିବା କେତେକ ବଦଳି ନିର୍ଦେଶକୁ ସରକାର ବାତିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *