‘ସାହିତ୍ୟରେ ନୂତନଧାରାର ପ୍ରବର୍ତକ ଥିଲେ ସଚ୍ଚି ରାଉତରାୟ’
ଭୁବନେଶ୍ୱର,୨୧/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥିତଯଶା ଶିଳ୍ପୀ ସଚ୍ଚିଦାନନ୍ଦ ରାଉତରାୟ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଏକ ନୂତନ ଧାରା ସୃଷ୍ଟି କରି ପାରିଛନ୍ତି । କବିତାରେ ଶକ୍ତି ପରୀକ୍ଷା କରୁକରୁ କଥାସାହିତ୍ୟରେ ମଧ୍ୟ ସେ ଆରମ୍ଭ କରିଦେଇଥିଲେ ପରୀକ୍ଷା ନିରୀକ୍ଷା । ସେ ଥିଲେ ଏକାଧାରରେ ଜଣେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ଓ ଆତ୍ମଜୀବନୀ ଲେଖକ ।
ତାଙ୍କର ଲେଖନୀ ଓଡ଼ିଆ ସାହିତ୍ୟରେ ନବଯୁଗର ସୂତ୍ର ପାତ କରିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ଲେଖକ ସମବାୟ ସମିତି ଲିମିଟେଡ୍ ର ମାସିକ ସାହିତ୍ୟ ଆଲୋଚନାଚକ୍ରରେ ମେ’ ମାସରେ ଜନ୍ମ ନେଇଥିବା ସାହିତି୍ୟକ ସଚ୍ଚିଦାନନ୍ଦ ରାଉତରାୟଙ୍କ ସାହିତ୍ୟ ସମ୍ଭାର ଉପରେ ଆଲୋଚନାଚକ୍ର ସମିତିର ସଭାପତି ପୀତବାସ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଚ୍ଚି ରାଉତରାୟ କବିତା କ୍ଷେତ୍ରରେ ରୋମାଂଟିକ ଚେତନାର କବିତାରୁ ଲେଖା ଆରମ୍ଭ କରି ପ୍ରଗତିଶୀଳ ଚେତନା ଓ ପରେ ପରେ ଚିତ୍ରକଳ୍ପ ପ୍ରୟୋଗ କରି ଆଧୁନିକବାଦର ପ୍ରତିଷ୍ଠାତା ରୂପେ ପରିଗଣିତ ହୋଇଛନ୍ତି । ଗଳ୍ପ ସାହିତ୍ୟରେ ପ୍ରଗତିବାଦୀ ଚିନ୍ତାଧାରାର ଆଦ୍ୟ ପଦଧ୍ୱନୀର ସ୍ରଷ୍ଟା ହେଉଛନ୍ତି ସଚ୍ଚି ରାଉତରାୟ ।
ତାଙ୍କର ଗଳ୍ପ କେବଳ ସମାଜର ନେତା, ପୁଞ୍ଜିତି, ଧର୍ମ ଓ ସୁବିଧାବାଦୀ ଗୋଷ୍ଠୀକୁ କଟାକ୍ଷ କରିନାହିଁ ବହୁ ମନୋବିଜ୍ଞାନଭିତିକ ଗଳ୍ପ ଲେଖି ଗଳ୍ପରାଜ୍ୟରେ ଏକ ନୂତନ ଚେତନା ଆଣି ଦେଇଛନ୍ତି । ତାଙ୍କ ଲିଖିତ ଉପନ୍ୟାସ ‘ଚିତ୍ରଗ୍ରୀବ’ ଏକ ଅଭିନବ ପରୀକ୍ଷା । ଏହା ମାର୍କ୍ସବାଦ ଓ ଭାବପ୍ରବଣତାର ଏକ ତୁଳନାତ୍ମକ ଚିତ୍ର ବହନ କରେ । ଶ୍ରୀ ରାଉତରାୟ ପଲ୍ଲୀ ଜୀବନକୁ ଯେଭଳି ରୂପାୟନ କରିଛନ୍ତି ମାର୍କସୀୟ ଶ୍ରେଣୀଦ୍ୱନ୍ଦ୍ୱ ଓ ପ୍ରଗତିବାଦୀ ଚିନ୍ତାଧାରାକୁ ମଧ୍ୟ ସେହିଭଳି ପ୍ରତିଫଳିତ କରିଛନ୍ତି ।
ଶ୍ରୀ ରାଉତରାୟ ଙ୍କ କବିତା ଓ ଗଳ୍ପ ଉପରେ ବକ୍ତାମାନେ ଆଲୋଚନା କରି ତାଙ୍କ ସାହିତ୍ୟ ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ତାଙ୍କୁ ଆଧୁନିକ ସାହିତ୍ୟର ନୂତନ ଭାବଧାରାର ପ୍ରବର୍ତକ ରୂପେ ଅବିହିତ କରିଥିଲେ । ସଭାରେ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର, ସାହିତି୍ୟକା ବନଜ ଦେବୀ, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ପ୍ରଶାସକ ସୁକାନ୍ତ ପ୍ରଧାନ, ବାଳକୃଷ୍ଣ ସାହୁ, ଗବେଷକ ସିଦ୍ଧାର୍ଥ କାନୁନଗୋ, ସାହିତି୍ୟକା ମିନତୀ ଷଡ଼ଙ୍ଗୀ, ଅପର୍ଣ୍ଣା ନାୟକ, ନିଶାକର ରାଉତ, ଉମାକାନ୍ତ ରାଉତ, ପିତାମ୍ବର ରଥ ଓ ଆଶିଷ କୁମାର କର ଯୋଗଦେଇ ସଚ୍ଚି ରାଉତରାୟଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଉପସଭାପତି ଡକ୍ଟର ପ୍ରେମଲତା ଦେବୀ ସଚ୍ଚିଦାନନ୍ଦଙ୍କ କବି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଶ୍ରୀ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ସଭ୍ୟ ଶ୍ରୀ ରାମନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
