ଜୟଦେବ ବିହାର ଛକରୁ ପରୀକ୍ଷାମୂଳକ ଆରମ୍ଭ
ଭୁବନେଶ୍ୱର,୧୦/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜଧାନୀରେ ଶୃଙ୍ଖଳିତ ଗାଡି ଚାଳନା ଓ ବଢ଼ୁଥିବା ଦୁର୍ଘଟଣାରେ ଅଙ୍କୁଶ ଲଗାଇବାକୁ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ । ଏଥିନିମନ୍ତେ ରାଜଧାନୀର ସହର ଭିତରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜୟଦେବ ବିହାର ଛକରୁ ପଟିଆ ପର୍ଯ୍ୟନ୍ତ ଲେନ୍ ଡ୍ରାଇଭିଂକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଜୟଦେବ ବିହାର ଛକରେ ୩ ଲେନ୍ ରେ ଗାଡି ଚଳାଚଳ କରିଛି । ଗାଡିଗୁଡିକ ଲେନ୍ ରେ ଚଳାଇଥିବାକୁ ଗାଡି ଚାଳକଙ୍କୁ ପରାମର୍ଶ ଦିଆଯାଇଛି ।
ପ୍ରଥମ ଦିନରେ ଗାଡି ଚାଳକ ଲେନ୍ ରେ ଗାଡି ଚଳାଇବାରେ ସମସ୍ୟା ଦେଖାଯାଉଥିଲା । ତଥାପି ସେମାନଙ୍କୁ ଲେନ୍ ରେ ଗାଡ଼ି ଚଳାଇବାକୁ ନିର୍ଦ୍ଧେଶ ଦିଆଯାଇଛି । ଏହି ଲେନ୍ ଡ୍ରାଇଭିଂ ବ୍ୟବସ୍ଥାକୁ ଅତିରିକ୍ତ ଡିସିପି ଅଙ୍କିତ ବର୍ମା ମନିଟରିଂ କରିବା ସହ ସ୍ଥିତି ପରଖିଛନ୍ତି । ସେହିପରି ଜୟଦେବ ବିହାର ଛକ ପରେ ଏଜି, ଆଚାର୍ଯ୍ୟବିହାର, କିଟ୍, ତମାଣ୍ଡୋ, ନାଲ୍କୋ ଛକଗୁଡିକରେ ଲେନ୍ ଡ୍ରାଇଭିଂକୁ କାର୍ଯ୍ୟକାରୀ କରାଯିବ । ଲେନ୍ ଡ୍ରାଇଭିଂ ହେଲେ ଭାରୀଯାନ ଓ ହାଲୁକା ଯାନ, ଅଟୋ ଓ ବାଇକ ଲାଗି ପୃଥକ ପୃଥକ ବ୍ୟବସ୍ଥା କରାଯାଇଥିଲା । ଗାଡି ଗୁଡିକ ନିଜ ଲେନ ରେ ଯିବା ସହ ଯେମିତି ଓଭରଟେକିଂ ରୋକାଯାଇପାରିବ ତା’ଉପରେ ଗୁରୁତ୍ୱ ଦିଆଯାଇଥିଲା ।
କାରଣ ଓଭରଟେକିଂ ଯୋଗୁ ଅନେକ ଦୁର୍ଘଟଣା ଘଟୁଛି । ଅନୁରୂପ ଭାବେ ଜାତୀୟ ରାଜପଥରେ ଦୁର୍ଘଟଣା ହାର ବଢ଼ିବାରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି । ଦୁର୍ଘଟଣାକୁ ରୋକିବା ଲାଗି କମିସନରେଟ ପୁଲିସ ଜାତୀୟ ରାଜପଥରେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଅଣ୍ଟା ଭିଡ଼ିଥିଲା । ଦ୍ୱୈତନଗରୀର ଜାତୀୟ ରାଜପଥ ଉପରେ କେତେ ବେଗରେ ଗାଡ଼ି ଚାଲିବ ତା’ର ଧାର୍ଯ୍ୟ ନିର୍ଦ୍ଧାରିତ କରାଯାଇଥିଲା । ରାଜପଥକୁ ୩ଟି ଲେନ ରେ ବିଭକ୍ତ କରାଯାଇଥିଲା । ବାମପଟରେ ଦୁଇଚକିଆ ଯାନ ଚଳାଚଳ କରିବା ସହ ୪୦ରୁ ୬୦ କିଲୋମିଟରେ ବେଗରେ ଚଳାଇବା ଲାଗି କୁହାଯାଇଥିଲା ।
ଏଥିସହିତ ଭାରିଯାନ ଲାଗି ମଝି ରାସ୍ତାକୁ ଉର୍ଦ୍ଧିଷ୍ଟ କରିବା ସହ ୬୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ଚଲାଇବା ଲାଗି କୁହାଯାଇଥିଲା । ସେହିପରି ଡାହାଣ ପଟରେ କାର୍ ଓ ହାଲୁକା ଯାନ ଚଳାଚଳ କରିବା ସହ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ଚଳାଇବା ଲାଗି କୁହାଯାଇଥିଲା । କିନ୍ତୁ ତାହା ଏବେ ଅଧାରେ ରହିଗଲା; କିନ୍ତୁ ସହର ଭିତରେ ଏବେ ଲେନ୍ ଡ୍ରାଇଭିଂ ବ୍ୟବସ୍ଥା କାର୍ଯ୍ୟକାରୀ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା କେତେ ସଫଳ ହେଉଛି ନା ଜାତୀୟ ରାଜପଥ ଭଳି କେବଳ କାଗଜକଲମ କିମ୍ବା ପରୀକ୍ଷାରେ ଅଟକି ଯିବ ତାହା ଆଗାମୀ ଦିନରେ ଜଣାପଡ଼ିବ ।
