‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍: ମିଳିବ ୧୪ ପୋଲିସ ସେବା

                             ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବା ଆବଶ୍ୟକ ନାହିଁ
ଭୁବନେଶ୍ୱର,୧୨/୦୯/୨୦୨୬ (ଓଡ଼ିଶା ସମାଚାର)- ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ୱରିତ୍ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ । ଡିଜିପି ବିନୟତୋଷ ମିଶ୍ର ଶୁକ୍ରବାର ଡିଜିପି କ୍ୟାମ୍ପ ଅଫିସ୍, ଭୁବନେଶ୍ୱରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ବିଭିନ୍ନ ସରକାରୀସେବା ଲୋକଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ସରକାରଙ୍କ ସେଂଟର ଫର ମର୍ଡନାଇଜିଂ ଗର୍ଭନମେଂଟ ଇନିସିଏଯିଭ୍ (ସିଏମଜିଆଇ), ଏସସିଆରବି, ଓଡ଼ିଶା ପୋଲିସ ଏବଂ ମେଟା ଇଣ୍ଡିଆ (ହ୍ୱାଟସ୍ଆପ୍ )ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନ ସାଧାରଣଙ୍କ ସେବା ଉଦ୍ଧେଶ୍ୟରେ ବିକଶିତ କରାଯାଇଛି ।

ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି । ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏସସିଆରବି), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି । ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ଓଆରଟିପିଏସଏ ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି । ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ । ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ ।

ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍ ରେ ପାଇପାରିବେ । ହ୍ୱାଟ୍ସଆପ୍ରେ ମିଳିବାକୁ ଥିବା ପୋଲିସ ସେବାଗୁଡିକ ହେଲା ୧. ଚରିତ୍ର ପ୍ରମାଣପତ୍ର,୨. ବରିଷ୍ଠ ନାଗରିକ ପଞ୍ଜୀକରଣ ,୩. କର୍ମଚାରୀ ସତ୍ୟାପନ ,୪. ହଜିଯାଇଥିବା ସମ୍ପତିି/ଦଲିଲ୍ ସମ୍ପର୍କିତ ରିପୋର୍ଟ ,୫. ଲାଉଡ୍ ସ୍ପିକର୍ ଅନୁମତି ପାଇଁ ଏନଓସି, ୬. ଭଡ଼ାଟିଆ/ପିଜି ସତ୍ୟାପନ , ୭. ହଜିଯାଇଥିବା ସମ୍ପତି ପଞ୍ଜୀକରଣ , ୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ ,୯. ଅଭିଯୋଗ ପଞ୍ଜୀକରଣ ,୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ ,୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି , ୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି, ୧୩. ଏଫଆଇଆରର ନକଲ ପ୍ରଦାନ ଏବଂ୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ ଫାଇନାଲ ଫର୍ମର ନକଲ ପ୍ରଦାନ ।

Leave a Reply

Your email address will not be published. Required fields are marked *