କେନ୍ଦ୍ରାପଡ଼ା,୦୫/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନ ଗୁଡିକରେ ନାକାବନ୍ଦି କରାଯାଇ ଗାଡି ଯାଂଚ କରାଯିବା ସହ ବିଭିନ୍ନ ହୋଟେଲ ଗୁଡିକୁ ମଧ୍ୟ ପୋଲିସ ଯାଂଚ କରିଛି । ସୂଚନା ଅନୁଯାୟୀ ଯାଜପୁର ଜିଲାର ପାଣିକୋଇଲିସ୍ଥିତ ଏକ ସୁନା ଦୋକାନରେ ଡକାୟତି ଓ ଗୁଳିଚାଳନାରେ ୨ଜଣଙ୍କ ମୃତୁ୍ୟ ହେବା ଘଟଣାକୁ ନେଇ ପୋଲିସ ପକ୍ଷରୁ ଏଭଳି ଯାଂଚ ବା ଛାନଭିନ କରାଯାଇଛି । କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡ, କାକଟ ଛକ ଓ ତିନିମୁହାଣି ଛକରେ ପୋଲିସ ପକ୍ଷରୁ ନାକାବନ୍ଦି କରାଯାଇ ତନଖି କରାଯିବା ସହ ଡ୍ରାଇଭିଂ ଲାଇସେନ୍ସ ନଥିବା, ଗାଡିର କାଗଜପତ୍ର ନଥିବା ଓ ହେଲମେଟ ପିନ୍ଧିନଥିବା ଦୁଇଚକିଆ ଗାଡିଚାଳକଙ୍କ ସମେତ ଅନ୍ୟ ଗାଡି ଗୁଡିକୁ ମଧ୍ୟ ଯାଂଚ କରାଯିବା ପରେ ଚେତାବନୀ ଦିଆଯାଇ ଛଡାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଦୀଲିପ କୁମାର ସାହୁଙ୍କ ନେତୃତ୍ୱରେ ସହରର ଉପରୋକ୍ତ ସ୍ଥାନ ଗୁଡିକରେ ଗାଡି ଅଟକାଇ ତନଖି କରିବା ସହିତ ସହରର ବିଭିନ୍ନ ହୋଟେଲ ଗୁଡିକୁ ମଧ୍ୟ ଯାଂଚ କରାଯାଇଛି । କେଉଁ ସ୍ଥାନରୁ କିଏ ଆସି ଏଠାରେ କେଉଁ ହୋଟେଲରେ ରହୁଛନ୍ତି, କେଉଁଥି ପାଇଁ ଆସିଛନ୍ତି ସବୁ ବିଷୟରେ ପୋଲିସ ପଚାରି ବୁଝୁଛି । ସେହିପରି ସହରର ବିଭିନ୍ନ ସୁନା ଦୋକାନକୁ ଯାଇ ନିରାପତା ସମ୍ପର୍କରେ ମଧ୍ୟ ସଂପୃକ୍ତ ଦୋକାନର ମାଲିକଙ୍କ ସହିତ ପୋଲିସ ଆଲୋଚନା କରିଛି । ଦୋକାନରେ ସିସିଟିଭି ଲଗାଇବା ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି ପୋଲିସ । ସନ୍ଦେହ ଜନକ ଅବସ୍ଥାରେ କୌଣସି ବ୍ୟକ୍ତିକୁ ଦେଖିଲେ ତା ସମ୍ପର୍କରେ ସତର୍କ ରହିବା ସହ ତୁରନ୍ତ ପୋଲିସକୁ ଜଣାଇବାକୁ ଥାନାଧିକାରୀ ଶ୍ରୀ ସାହୁ ସୁନା ଦୋକାନି ଓ ହୋଟେଲ ମାଲିକମାନଙ୍କୁ କହିଛନ୍ତି । ସହର ମଧ୍ୟରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
