ଉତ୍କଳମଣି ସେବାସଂସ୍ଥାର ଶୀତକାଳୀନ ସେବା ଶିବିର

ଜୁନାଗଡ, ୦୪/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଶଗଡା ଗ୍ରା.ପ. ଅଧିନସ୍ଥ କୋଉଗୁଡା ଗ୍ରାମରେ ଜୁନାଗଡର ଉତ୍କଳମଣି ସେବାସଂସ୍ଥା ଦ୍ବାରା ଶୀତକାଳୀନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମରେ ବାସ କରୁଥିବା ୩୦ଟି ଘରଢିହ ନ ଥିବା, ଜମିହୀନ ମେହନତୀ ଆଦିବାସୀ ପରିବାରର ସଂଘର୍ଷମୟ ଜୀବନ ସହ ଏକାତ୍ମ ହେବାପାଇଁ ଉତ୍କଳମଣିଙ୍କ ଆଦର୍ଶ ଜନସେବାକୁ ମନେପକେଇ ସେବା ଶିବିର ପରିଚାଳିତ ହୋଇଥିଲା। ଶୁଖିଲା ଖାଦ୍ୟ, ଶୀତ ବସ୍ତ୍ର, ପିଲାମାନଙ୍କୁ ପାଠ୍ୟ ଉପକରଣ, ଔଷଧ ବିତରଣ ପରେ ଗ୍ରାମବାସୀଙ୍କ ସହ ପଂକ୍ତି ଭୋଜନ କରାଯାଇଥିଲା। ଗ୍ରାମଟିରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ଓ ରାସ୍ତାଘାଟର ସୁବ୍ୟବସ୍ଥା ହୋଇନଥିବାରୁ ଅନଷ୍ଠାନର ସଭାପତି ମଧୁସୂଦନ ପଣ୍ଡା, ସମ୍ପାଦକ ଅଜୟ ଦାସ, ସମାଜସେବୀ କୈଳାସ ରାଉତ, ଦାମୋଦର ବେହେରା, ନିରଞ୍ଜନ ସାହୁ, ନବଘନ ସାହୁ, ଅଶୋକ ସାହୁ, ହେମନ୍ତ ସାସମଲ୍, ଭଗବାନ ସାହୁ ଦୁଃଖ ପ୍ରକାଶ କରିଥିଲେ। କୋଉଗୁଡାର ବିନିତା ମାଝି, ବିଜୟ ମାଝି ଓ ସମସ୍ତ ଗ୍ରାମବାସୀ ସହ ଯୋଗକରିଥିଲେ।

Leave a Reply

Your email address will not be published. Required fields are marked *