ଶ୍ରୀରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

କେନ୍ଦ୍ରାପଡ଼ା,୨୨/୦୧/୨୦୨୪(ଓଡ଼ିଶା ସମାଚାର)- ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ସାମାଜିକ ସଂଗଠନ ‘ଜୟରାଷ୍ଟ୍ର’ ପକ୍ଷରୁ ବିଭିନ୍ନ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ପାଣ୍ଡିରି ଲକ୍ଷ୍ମୀ ନାରାୟଣ ମନ୍ଦିର, କନ୍ତେଇ ଠାକୁରାଣୀ ଓ ବିରସ୍ୱତୀ ଗ୍ରାମରେ ନଗର ସଂକୀର୍ତନ କରାଯାଇଥିଲା । ପରେ ପରେ ରାଆଁଳୋ ଗ୍ରାମରେ ଗୋପୂଜା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ଗୋପ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ କୋରୋ ପଂଚାୟତର ପାଳକଣା ରାମ ମନ୍ଦିରରୁ ଏକ ସୁସଜ୍ଜିତ ରାମରଥ ବାହାରି ବିଭିନ୍ନ ଅଂଚଳ ପରିକ୍ରମା କରିଥିଲା । ସନ୍ଧ୍ୟାରେ କୋରୋ ଶ୍ରୀଜଗନ୍ନାଥ ମନ୍ଦିରରେ ହୋମଯଜ୍ଞ, ପୂଜାର୍ଚ୍ଚନା, ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରି ବିଭୁକୃପା ଲାଭ କରିଥିଲେ ।
ଶ୍ରୀରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନରଙ୍କ ଶୋଭାଯାତ୍ରା
ଅଯୋଧ୍ୟାରେ ରାମଲାଲଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କିନ୍ନର ସମାଜ ପକ୍ଷରୁ ଏକ ଶ୍ରୀରାମ ରଥ ଶୋଭାଯାତ୍ରା କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କିନ୍ନର ସମାଜ ସଭାପତି ଦେବୀକା ବାରିକଙ୍କ ନେତୃତ୍ୱରେ ଶତାଧିକ କିନ୍ନର ସହରର କଜଳା ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସାନ୍ତସାହି, ପୁରୁଣା ବସଷ୍ଟାଣ୍ଡ ଓ ନୂଆ ବସଷ୍ଟାଣ୍ଡ ଦେଇ ତିନିମୁହାଣି ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପହଂଚିଥିଲେ । ସାରା ସହର ଶ୍ରୀରାମ ମୟ ହୋଇ ଉଠିଥିଲା ।
        ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗୋବିନ୍ଦଜୀଉ ମନ୍ଦିରରେ ହନୁମାନ ଚାଳିସା ପାଠ ଓ ଦୀପାବଳୀ ଉତ୍ସବ
ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆଜି ସନ୍ଧ୍ୟାରେ ନୂଆ ବସଷ୍ଟାଣ୍ଡ ସନ୍ନିକଟ ଶ୍ରୀଗୋବିନ୍ଦଜୀଉଙ୍କ ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମ ଓ ଭକ୍ତ ହନୁମାନଜୀଉଙ୍କ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ବହୁ ଯୁବକ ଓ ପିଲାମାବେ ଗୋଟିଏ ଧାଡିରେ ବସି ୧୧ଥର ହନୁମାନ ଚାଳୀସା ପାଠ କରିବା ସହିତ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ମନ୍ଦିର ପରିସରରେ ଦୀପାବଳୀ ଉତ୍ସବ ପାଳନ କରିଛନ୍ତି । ହିନ୍ଦୀରେ ଦୀପରେ ‘ଜୟ ଶ୍ରୀରାମ’ଓ ମୁରୁଜରେ ଅଙ୍କନ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତି ଦୀପରେ ସଜ୍ଜିତ ହୋଇଥିବା ଦେଖାଯାଇଥିଲା । ଶତାଧିକ ମହିଳା ଓ ପୁରୁଷମାନେ ପ୍ରଭୁ ଶ୍ରୀରାମଙ୍କ ଉଦେଶ୍ୟରେ ଦୀପ ଜାଳି ଆଶ୍ରିର୍ବାଦ ଭିକ୍ଷା କରୁଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *