କଟକ ସଦର,୦୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିଵ୍ରହ୍ମପୁର ପଞ୍ଚାୟତ ଖେଣ୍ଟାଳ ଵାରାହାପାଟ ଗହିରରେ ଏକ ଶହରୁ ଊର୍ଦ୍ଧ୍ବ ଚାଷୀ ପ୍ରାୟ ଦୁଇଶହ ଏକରରୁ ଊର୍ଦ୍ଧ୍ୱ ଜମି ରେ ସମୁହ ପୋଖରୀ ଖୋଳି ମାଛଚାଷ କରି ଆସୁଛନ୍ତି। ହେଲେ ମତ୍ସ୍ୟ ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରୋତ୍ସାହନ ର ଅଭାବ ଓ ସମୁହ ପୋଖରୀ କୁ ଯାତାୟତ ପାଇଁ ରାସ୍ତା ନଥିବା ରୁ ମତ୍ସ୍ୟ ଚାଷୀମାନେ ସବୁ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି।
ଏଥିପାଇଁ ଆଜି ଗୁରୁବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ସାଙ୍ଗରେ ନେଇ କ୍ଷେତ୍ର ପରିଦର୍ଶନ କରିବାସହ ଆବଶ୍ୟକୀୟ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁମନ୍ତ ଚନ୍ଦ୍ର ସାହୁ, କୁଞ୍ଜବିହାରୀ ସାହୁ, ଶୁଭ୍ରାଂଶୁ ସାହୁ, ସୂର୍ଯ୍ୟ କାନ୍ତ ସାହୁ, ରତିକାନ୍ତ ସାହୁ,ପ୍ରଫୁଲ୍ଲ ମହାପାତ୍ର ପ୍ରମୁଖ ବହୁ ମତ୍ସ୍ୟଚାଷୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା ଜଣାପଡିଛି। ଆଗାମୀ ଦିନରେ ଉକ୍ତ ସ୍ଥାନରେ ସିର୍ଲୋ ପଞ୍ଚାୟତ କୁ ମାଡ଼ି ଆହୁରି ତିନି ଶହରୁ ଊର୍ଦ୍ଧ୍ବ ଏକର ଜମିରେ ପୋଖରୀ ଖନନ ହେଵାର ଲକ୍ଷ ଧାର୍ଯ୍ୟ ହୋଇଥିବା ଜଣାଯାଇଛି।