ଅଧା ରହିଗଲା ତାରିଣୀ ଦର୍ଶନ, ଟ୍ରକ ପଛକୁ ଧକ୍କା ଦେଲା ଭ୍ୟାନ, ୮ ମୃତ, ୧୦ ଗୁରୁତର ଆହତ

କେନ୍ଦୁଝର, ୦୧/୧୨/୨୦୨୩ (ଓଡ଼ିଶା ସମାଚାର)- ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ରୁ ୭ ତାରିଖ ପର୍ୟ୍ୟନ୍ତ ସାରା ରାଜ୍ୟରେ ଦୂର୍ଘଟଣା ଜନିତ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ କରାଯାଉଛି । ଏହି ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ସମୟରେ ଦୂର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ପ୍ରତି ଜିଲା ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯିବା ସହିତ ଲୋକ ମାନଙ୍କୁ ସଚେତନ କରାଯାଇଥାଏ । ଏହି ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ର ଆଜି ପ୍ରଥମ ଦିନ ସକାଳୁ ସକାଳୁ ଆସିଛି ଏକ ବଡ଼ ଦୂର୍ଘଟଣା ଖବର , ଯେଉଁଥିରେ ୮ ଜଣଙ୍କର ଜୀବନ ଯାଇଛି ।
ପ୍ରାପ୍ତ ସୂଚନା ରୁ ଜଣାପଡ଼ିଛି କି ଦିଗପହଣ୍ଡି ପୋଡାମାରିରୁ ତାରିଣୀ ଦର୍ଶନ ପାଇଁ ଏକ ଉଇଙ୍ଗର ଭ୍ୟାନ ରେ ୨ଟି ପରିବାରର ୨୦ ଜଣ ଲୋକ ଜଣ ଆସିଥିଲେ । ରାତିରେ ଘରୁ ବାହାରିଥିଲେ। ଭୋର୍ ସମୟରେ ମା’ଙ୍କର ମଙ୍ଗଳଆଳତି ଦେଖିଥାନ୍ତେ। ହେଲେ ତା ଆଗରୁ ସବୁ କିଛି ଓଲଟପାଲଟିଗଲା। ଅଧା ବାଟରେ ଛକି ବସିଥିଲା ଯମ । ଅଧା ରହିଗଲା ତାରିଣୀ ଦର୍ଶନ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର । ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ଘଟଗାଁ ତାରିଣୀ ମନ୍ଦିର ଠାରୁ ମାତ୍ର ୩ କି.ମି. ଦୂର ଏନ୍ଏଚ୍ ୨୦ ବାଲିଯୋଡି ନିକଟରେ ଘଟିଛି ଏହି ଭୟଙ୍କର ମୁର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୨/୩ ଜଣ ମହିଳା ଥିବା ସୂଚନା ମିଳିଛି । ସମସ୍ତ ମୃତାହତ ଦିଗପହଣ୍ଡି ପୋଡ଼ାମାରି ଗାଁର ବୋଲି ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଭ୍ୟାନ୍ ଚୁର୍ମାର୍ ହୋଇଯାଇଛି । ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ ଫେରାର ହୋଇଯାଇଛି। ତେଣେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ପଛ ସିଟରେ ବସିଥିବା ଜଗଦୀଶ ଗୌଡ଼। ତାଙ୍କ କହିବା ଅନୁଯାୟୀ, ସେମାନେ ୧୮ଜଣ ଗାଡ଼ିରେ ଆସିଥିଲେ। ତାଙ୍କ ପରିବାର, ତାଙ୍କ ମାମୁଘର ଓ ସଙ୍ଗାତ ଘର ଲୋକେ ଘଟଗାଁ ଆସୁଥିଲେ। ସେମାନେ ରାତି ସାଢ଼େ ୮ଟା ସମୟରେ ଘରୁ ବାହାରିଥିଲେ ସୂଚନା ଅନୁସାରେ, ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ଘଟଗାଁ ଥାନା ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ଖାଇଥିଲା। ଭ୍ୟାନର ବେଗ ଅଧିକ ଥିବାରୁ ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତଙ୍କୁ ଚିକିତ୍ସା ଲାଗି ପ୍ରଥମେ ଘଟଗାଁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଜଣାପଡ଼ିଛି। ଭୋର ସମୟରେ କୁହୁଡ଼ି ଥିବା ଯୋଗୁ ଡ୍ରାଇଭର କୁ କମ୍ ଦେଖାଯାଉଥିବାରୁ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକଟିକୁ ଦେଖିପାରିନାହାନ୍ତି , ପଛରୁ ପିଟିଛନ୍ତି କିମ୍ବା ଆଖି ଲାଗିଯାଇ ଥିବା ହେତୁ ପୂରା ବେଗରେ ଥିବା ବେଳେ ଟ୍ରକ ସହ ପିଟି ଭ୍ୟାନ୍ ହୋଇଛି ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣାରେ ଭ୍ୟାନର ସାମନା ଅଂଶଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ସମ୍ମୁଖ ଭାଗରେ ବସିଥିବା ଯାତ୍ରୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *