ପାଟକୁରା, ୦୯/୦୮/୨୦୨୬ (ଓଡ଼ିଶା ସମାଚାର)- ଆଜି ରବିବାର ମଧ୍ୟାହ୍ନରେ ହଠାତ୍ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇ ଥିଲା। ଏହି ସମୟରେ ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି ଗରଦପୁର ଗ୍ରାମ ଓଁ ଶାନ୍ତି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପଛପାଖ ବାଇଶିଢ଼ିଆ ଚକରେ ଧାନ ତଳି ଉପାଡୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ସେ ବିଲରେ ଟଳି ପଡ଼ିଥିଲେ। ତାଙ୍କର ବୟସ ୪୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହି ଖବର ପାଇ ପରିବାର ଲୋକ ତୁରନ୍ତ ତାଙ୍କୁ ଅଗ୍ନିଶମ ବିଭାଗର ଗାଡ଼ି ସହାୟତାରେ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମରଶରୀରକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି ।
ଅନ୍ୟଜଣେ ମହିଳା ଶ୍ରମିକ ସୁଲୋଚନା ସେଠୀ(ଆନୁମାନିକ ବୟସ ୫୦) ବଜ୍ରପାତରେ ଅଚେତ ହୋଇପଡ଼ିଥିଲେ ଓ ପରେ ତାଙ୍କର ଚେତା ଫେରିଥିଲା। ତେବେ ସୁଲୋଚନା ଗୁରୁତର ଆହତ ହୋଇଥିବା ରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି ବୋଲି ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି।
ଖବର ନେବାରେ ଜଣାପଡ଼ିଛି ଯେ ଜଣେ ଚାଷୀଙ୍କର ଧାନ ରୋଇବା ପାଇଁ ୮ ଜଣ ଶ୍ରମିକ ଯାଇଥିଲେ। ଟିକି ଓ ସୁଲୋଜନା ତଳି ଉପାଡ଼ିବାବେଳେ ଅନ୍ୟ ୬ ଜଣ ଶ୍ରମିକ କିଛି ଦୂରରେ ଥିବା କିଆରିରେ ଧାନ ରୋଉଥିଲେ। ମଧ୍ୟାହ୍ନରେ ହଠାତ୍ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇ ଥିଲା। ବଜ୍ରପାତରେ ଜଣେ ମହିଳା ଶ୍ରମିକ ଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।
