ଚୌଦ୍ୱାର, ୦୧/୧୨/୨୦୨୩ (ଓଡ଼ିଶା ସମାଚାର)- ଚୌଦ୍ୱାର ଥାନା ଅଧିନ ଟିପିଏମ୍ ଫାଣ୍ଡି ଅନ୍ତର୍ଗତ ଗୌଖାନା ପାହାଡ଼ ନିକଟରୁ ଗୋଟିଏ ସଦ୍ୟଜାତ ଶିଶୁକନ୍ୟା ସହିତ ତାର ମା କୁ ଉଦ୍ଧାର କରାଯାଇଛି । ପାହାଡ଼ ନିକଟରେ ଏକ ପଥର ଉପରେ ଗୋଟିଏ ସଦ୍ୟଜାତ ଶିଶୁକୁ ଧରି ଜଣେ ମହିଳା ବସିଥିବା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ କଟକ ଶିଶୁ ମଙ୍ଗଳ ସମିତିରୁ ଖବର ପାଇ ସ୍ଥାନୀୟ ଶିଶୁସଦନର କର୍ମକର୍ତ୍ତା ମାନେ ଫାଣ୍ଡି ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶିଶୁ ଓ ମା’କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଛନ୍ତି। ସେଠାରେ ଶିଶୁଟିର ନାହି କଟାଯିବା ସହିତ ତାର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ମା’ର ମଧ୍ୟ ଚିକିତ୍ସା କରାଯାଉଛି । ଉକ୍ତ ମହିଳାଙ୍କ ବୟସ ୩୦ବର୍ଷ ହେବା ଅନୁମାନ କରାଯାଉଛି । ତାଙ୍କର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି। ସେ କୌଣସି ପ୍ରଶ୍ନର ଉତ୍ତର ଦେଉ ନଥିବାରୁ ତାଙ୍କର ପରିଚୟ କିମ୍ବା ପରିବାର ସମ୍ପର୍କରେ କୌଣସି ତଥ୍ୟ ଜଣା ପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।