କଟକ ସଦର ରାଜନୀତି: ତ୍ରିମୁଖୀ ପ୍ରତିଦ୍ବନ୍ଦିତାରେ ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ 

କଟକ ସଦର, ୨୩/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ସଂରକ୍ଷିତ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଏଥିର ଲଗାତାର ତୃତୀୟ ଥର ପାଇଁ ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଥିବା ଚନ୍ଦ୍ର ସାରଥି ବେହେରା। ସର୍ଭେ ରିପୋର୍ଟକୁ ଭିତ୍ତିକରି ଦଳ ପ୍ରଥମ ଦଫାରେ ଚନ୍ଦ୍ର ସାରଥି ଙ୍କ ନାଁ ଘୋଷଣା କରିଥିବାବେଳେ ସିଏ ଵାଜିଗର ହେବା ଲକ୍ଷରେ ପ୍ରଚାରକୁ ଯୋରଦାର କରିଥିବା ଜଣାଯାଇଛି। ସେହିଭଳି ଦୀର୍ଘ ବର୍ଷ ହେଲା ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ଜରିଆରେ ଲୋକଙ୍କର ନିକଟତର ଓ ଗ୍ରହଣୀୟ ହୋଇଥିବା ସଦର ମାଟି କିଶନନଗର ଅଞ୍ଚଳର ପୁଅ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପରେ ବିଜେପି ଭରଷା କରି ପ୍ରାର୍ଥୀ କରିଛି। ଏଥିପାଇଁ ପ୍ରକାଶ ରାତିଦିନ ଏକ କରି ଲୋକଙ୍କ ପାଖକୁ ଯାଇଁ ଆଶ୍ରିର୍ଵାଦ ଭିକ୍ଷା କରୁଥିବା ଜଣାପଡିଛି। ସେହିପରି ଗତ ତିନି ଥର ବାହାରୁ ପ୍ରାର୍ଥୀ ଆଣି ଲଦି ଦେଵା ପରିବର୍ତ୍ତେ କଂଗ୍ରେସ ଏଥର ସଦର ମାଟି ୪୨ ମୈ।ଜା ଅଞ୍ଚଳର ପୁଅ, ହରିଜନ ନେତା, କଟକ ସଦର ବ୍ଲକ କଂଗ୍ରେସ ସଭାପତି, ପୂର୍ବତନ ସରପଂଚ ରାମଚନ୍ଦ୍ର ଗୋଛାୟତଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ପରଠାରୁ ରାମଚନ୍ଦ୍ର ପ୍ରତି ପଞ୍ଚାୟତରେ କର୍ମୀ ସମାବେଶ କରିବାରେ ଲାଗିପଡିଛନ୍ତି। ହେଲେ ଚଳିତ ସାଧାରଣ ନିର୍ବାଚନରେ ଦୁଇ ନଵାଗତଙ୍କ ସହିତ ଜଣେ ପୁରାତନ ଓ ଅଭିଜ୍ଞ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ସମ୍ଭାବନା ଥିବା ବେଳେ ବିଜେଡ଼ି ସହିତ ବିଜେପିର ନେକ୍ ଟୁ ନେକ୍ ଫାଇଟରେ କଂଗ୍ରେସ ଭୋଟ ନିର୍ଣ୍ଣାୟକ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ଏଥର ୧ଲକ୍ଷ ୧୬ହଜାର ୫୪ ଜଣ ପୁରୁଷ ଭୋଟର,୧ଲକ୍ଷ ୧୧ହଜାର ୫୫ ଜଣ ମହିଳା ଭୋଟର ଓ ଅନ୍ୟାନ୍ୟ ୨୨ ଜଣ ମୋଟ ୨ଲକ୍ଷ ୨୭ ହଜାର ୧୩୧ ଜଣ ଭୋଟର ସେମାନଙ୍କ ର ମତାଧିକାର ସାବ୍ୟସ୍ତ କରିଵେ। ତେବେ ବିଜେପି ଓ ବିଜେଡ଼ିର ବିଦ୍ରୋହୀ ଗୋଷ୍ଠୀଙ୍କ ଉପରେ ଏଵେ ସମସ୍ତଙ୍କର ନଜର ରହିଛି।

Leave a Reply

Your email address will not be published. Required fields are marked *