ନିର୍ବାଚନର ଦୁଇଦିନ ଆଗରୁ ପୁଲିଂ ଅଧିକାରୀ ମାନଙ୍କୁ ଭୋଟ କେନ୍ଦ୍ରକୁ ପଠାଇବାକୁ ଦାବି

ଭୁବନେଶ୍ୱର,୨୩/୦୪/୨୦୨୪ (ଓଡ଼ିଶା ସମାଚାର)-ନିର୍ବାଚନ ତାରିଖର ପୂର୍ବଦିନ ପୁଲିଂ ଅଧିକାରୀମାନଙ୍କୁ ଭୋଟକେନ୍ଦ୍ରକୁ ନ ପଠାଇ ଦୁଇଦିନ ଆଗରୁ ପଠାଇବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା । ଶିକ୍ଷକ ସଂଘ ଦର୍ଶାଇଛି ଯେ, ନିର୍ବାଚନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ପୂର୍ବଦିନ ଜିଲଳ ମୁଖ୍ୟାଳୟରେ ଯୋଗଦେଇ ନିର୍ବାଚନ ପାଇଁ ଆନୁସଙ୍ଗିକ ସାମଗ୍ରୀ ସଂଗ୍ରହ କରି ଭୋଟ କେନ୍ଦ୍ରରେ ପହଂଚିବା ପାଇଁ ସେମାନଙ୍କୁ ସନ୍ଧ୍ୟା ହୋଇଯିବ । ସେଠାରୁ ସେମାନେ ପହଂଚି ନିର୍ବାଚନ ନିମନ୍ତେ ଆନୁସଙ୍ଗିକ କାଗଜପତ୍ର ପ୍ରସ୍ତୁତି, ଭୋଟିଂ ମେସିନ୍ ସଜାଡ଼ିବା ଓ ଭୋଟକେନ୍ଦ୍ରର ପ୍ରସ୍ତୁତି ପାଇଁ ସେମାନଙ୍କୁ ବହୁତ ସମୟ ଲାଗିବ । ଭୋଟ ଗ୍ରହଣ ସକାଳ ୭ ଘଟିକାରୁ ଆରମ୍ଭ ହେଉଥିବାରୁ ତା’ର ଦୁଇଘଂଟା ପୂର୍ବରୁ ଅର୍ଥାତ୍ ୫ ଘଟିକାରୁ ମକ୍ପୁଲ୍ କରାଯିବ । ତେଣୁ ପୁଲିଂ ଅଧିକାରୀମାନଙ୍କୁ ଭୋର୍ ୪ଟା ସୁଦ୍ଧା ନିଜର ନିତ୍ୟକର୍ମ ସାରି ପ୍ରସ୍ତୁତି ହେବାକୁ ପଡ଼ିବ । ପୂର୍ବଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଭୋଟକେନ୍ଦ୍ରରେ ପହଂଚିବା ପରେ ସେମାନେ କ୍ଲାନ୍ତ ହୋଇପଡ଼ିଥିବେ ସଠିକ୍ ଭାବରେ ବିଶ୍ରାମ ନେଇନଥିବାରୁ ତା’ର ପରଦିନ ଭୋଟଗ୍ରହଣ କରିବାକୁ ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିବ । ଯାହାଦ୍ୱାରା ଭୋଟଗ୍ରହଣରେ ବିଶୃଙ୍ଖଳା ଓ ବିଭ୍ରାଟ ହେବାର ସମ୍ଭାବନା ରହିଛି । ତେଣୁ ଦୁଇଦିନ ଆଗରୁ ପୁଲିଂ ପର୍ସନେଲମାନଙ୍କୁ ଭୋଟ କେନ୍ଦ୍ରକୁ ପଠାଇବାକୁ ଓଡ଼ିଶା ନିର୍ବାଚନ ଆୟୋଗକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡ଼ିଶା ତରଫରୁ ଦାବି ଓ ଅନୁରୋଧ କରାଯାଇଛି ।
ଶିକ୍ଷକ ସଂଘର ପାଂଚଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଅପରାହ୍ନରେ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସମସ୍ତ ବିଷୟ ଆଲୋଚନା କରିବା ସହିତ ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ପାଇଁ ପୁଲିଂ ପର୍ସନେଲମାନଙ୍କୁ ନିର୍ବାଚନର ଦୁଇଦିନ ଆଗରୁ ଭୋଟକେନ୍ଦ୍ରକୁ ପଠାଇବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ପିଷ୍ଟାର ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ବାରିକ, ସଭାନେତ୍ରୀ ଟୁଲୁ ଦେଇ, ଉପଦେଷ୍ଟା ଗଜେନ୍ଦ୍ର ମାଝୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *