କେନ୍ଦ୍ରାପଡ଼ା,୨୫/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଜିଲାର ବନ୍ୟା ପ୍ରପିଡିତଙ୍କ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜିଲା ସଭାପତି ସନ୍ଦୀପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟି ସଭାପତି ଶ୍ରୀ ଦାସ କହିଲେ ଯେ କେନ୍ଦ୍ରପଡ଼ା ଜିଲା ସଂଗଠନର ସଦସ୍ୟବୃନ୍ଦ ବନ୍ୟା ପ୍ରଭାବିତ ଅନେକ ଅଂଚଳ ଗସ୍ତ କରି ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଦଳ ପକ୍ଷରୁ ଯାହା ସମ୍ଭବ ଆବଶ୍ୟକତା ଅନୁଯାୟୀ ସହଯୋଗର ପ୍ରୟାସ କରିଛନ୍ତି ।
ପଟ୍ଟାମୁଣ୍ଡାଇ ଅଂଚଳର ବାଲିପାଟଣା,ତନୁପୁର, ବଙ୍ଗାଳଦିଆ, ବାଛରା,ଅଣ୍ଡରା, ବନ୍ୟା ପ୍ରଭାବିତ ପୌରାଂଚଳ ୱାର୍ଡ ଆଦି ସ୍ଥାନରେ ବନ୍ୟାଜଳର ପ୍ରଭାବ ଜନସାଧାରଣଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ସବୁଠୁ ଦୁଃଖ ଓ ପରିତାପର ବିଷୟ ଉକ୍ତ ପ୍ରପୀଡ଼ିତ ପରିବାର ମାନଙ୍କୁ ସରକାରଙ୍କ ପକ୍ଷରୁ ଘର ପିଛା ଏକ କେଜି ଚୁଡ଼ା ଓ କେଇ ଖଣ୍ଡ ବିସ୍କୁଟ ଦେଇ ପ୍ରଶାସନ ନିଜ ଦାୟିତ୍ୱରୁ ହାତ ଝାଡ଼ି ଦେଇଛି । ଅଂଚଳବାସୀଙ୍କ ସ୍ୱାସ୍ଥ୍ୟଗତ ଦୂର୍ଗତିର ଆଶଙ୍କା ଅତି ସଙ୍କଟମୟ ପରିସ୍ଥିତିରେ ଥିଲେ ମଧ୍ୟ ସେମାନଙ୍କ ନିକଟରେ କୌଣସି ଡାକ୍ତରୀ ଟିମ୍ କିମ୍ବା ଔଷଧ ପହଂଚି ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି । ବନ୍ୟା ପ୍ରପୀଡ଼ିତଙ୍କ ଖାଦ୍ୟ ସଙ୍କଟ ଅତି ସଙ୍ଗୀନ ସ୍ଥିତିରେ ପହଂଚିଥିଲେ ସୁଦ୍ଧା, ପ୍ରଶାସନ ହାତ ବାନ୍ଧି ବସିବା ନୈରାଶ୍ୟଜକ ।
ଦୀର୍ଘ ଦିନ ଧରି ସେମାନେ ଜଳବନ୍ଦୀ ଅବସ୍ଥାରେ ଥିଲେ ମଧ୍ୟ ଏଯାବତ୍ ପ୍ରଶାସନ ପକ୍ଷରୁ ସେମାନଙ୍କ ଗମନାଗମନ ନିମନ୍ତେ କୌଣସି ବ୍ୟବସ୍ଥିତ ଯୋଜନାର ଆପୂର୍ତି ନ କରିପାରିବା ଘୋର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟେ ସଚେତନ ରାଜନୈତିକ ଦଳ ପକ୍ଷରୁ ବନ୍ୟାଂଚଳ ପରିଦର୍ଶନ କରି ଆମ୍ଭେ ଯାହା ନିରିକ୍ଷଣ କଲୁ ତାହା ପ୍ରଶାସନର ବନ୍ୟା ବିପର୍ଯ୍ୟୟ ପରିଚାଳନାର ମହାତ୍ରୁଟିକୁ ଉଜାଗର କରୁଥିବା ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି । ବନ୍ୟା ପ୍ରପୀଡ଼ିତ ଅଂଚଳରେ ତୁରନ୍ତ ଶୁଖୁଲା ଓ ରନ୍ଧା ଖାଦ୍ୟ ସମେତ ଶିଶୁ ଖାଦ୍ୟ ଯଥେଷ୍ଟ ମାତ୍ରାରେ ଯୋଗାଣ ସହ ବାହ୍ୟ ଜଗତରୁ ବିଛିନ୍ନ ବନ୍ୟା ପ୍ରପୀଡ଼ିତଙ୍କ ଗମନାଗମନ ଓ ରୋଗୀଙ୍କୁ ହସ୍ପିଟାଲ ପଠାଇବା ନିମନ୍ତେ ଯାତାୟତର ବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ,ଡାକ୍ତରୀ ଟିମ୍ ପଠାଇ ବନ୍ୟାଳରେ ଦୂଷିତ ପରିବେଶ ଯୋଗୁଁ ପ୍ରଭାବିତଙ୍କ ରୋଗ ନିରୂପଣ ଏବଂ ଆବଶ୍ୟକୀୟ ଚିକିତ୍ସା ଓ ଔଷଧର ସୁବନ୍ଦୋବସ୍ତ, ପରିବେଶ ସୁରକ୍ଷା ପାଇଁ ବ୍ଲ୍ୱିଚିଂ ପାଉଡର ଓ ଅନ୍ୟ ରାସାୟନିକ ଦ୍ରବ୍ୟ ପ୍ରୟୋଗ, ଗୃହପାଳିତ ପଶୁ, ପକ୍ଷୀଙ୍କ ନିମନ୍ତେ ଯଥେଷ୍ଟ ଖାଦ୍ୟ ଯୋଗାଣ, ଚିକିତ୍ସା ଓ ସୁରକ୍ଷା ନିମନ୍ତେ ବ୍ୟବସ୍ଥାର ଉପଲବ୍ଧତା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବି ଜଣାଇଥିବା ସଭାପତି ଶ୍ରୀ ଦାସ କହିଥିଲେ ।
ଏଭଳି ଦୁଃସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସିଧାସଳଖ ଜଳବନ୍ଦୀ ଥିବା ଜିଲାବାସୀଙ୍କ ଅସୁବିଧା ସଂପର୍କରେ ଅବଗତ ରହିବା ସହ ବନ୍ୟା ପ୍ରଭାବିତଙ୍କ ସମସ୍ୟା ଗୁଡ଼ିକୁ ତ୍ୱରିତ ସମାଧାନ କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ବାନାମ୍ବର ସାହୁ, ସଂଗଠନ ସମ୍ପାଦକ ରୁଦ୍ର ପ୍ରସାଦ ବେହେରା, ସଂଗଠନ ସମ୍ପାଦକ କୁମୁଦ ପ୍ରସାଦ ରାଉତ ଓ କର୍ମକର୍ତା ଆଇଏସ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।
