ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ପାଇଁ ଜିଲା ସ୍ତରୀୟ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୩ (ଓଡ଼ିଶା ସମାଚାର)- “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ନିମନ୍ତେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର ଶିବାଶିଷ ପରିଡ଼ା, ଜିଲାର ସମସ୍ତ ତହସିଲଦାର ଓ ବିଡିଓ, ଜିଲା ମୁଖ୍ୟ କୃଷି ଅଧିକାରୀ ଡଃ. ମନୋଜ କୁମାର ଚାନ୍ଦ, କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅରବିନ୍ଦ ଦାସ, ଏଲଡିଏମ୍ ମନୋଜ କୁମାର ପ୍ରଧାନୀ, ଡା. ନୃପେନ୍ ଶତପଥି, ସମସ୍ତ ଜିଲାସ୍ତରୀୟ ଅଧିକାରୀ, ସମସ୍ତ ଲାଇନ୍ ଡିପାର୍ଟମେଂଟ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ବାର୍ତା ତୃଣମୂଳସ୍ତରରେ ପହଂଚାଇବ “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ।” କେବଳ ବାର୍ତା ପହଂଚାଇବନି ବରଂ ଯୋଜନାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଜନାରେ ସାମିଲ କରାଯିବ । କେନ୍ଦ୍ରାପଡ଼ା ଜିଲାର ସମସ୍ତ ୯ଟି ବ୍ଲକ୍ ର ୨୪୯ଟି ଗ୍ରାମ ପଂଚାୟତରେ ଦୁଇଟି ସଚେତନତା ରଥ ପରିଭ୍ରମଣ କରିବ । “ମେରି କାହାନି, ମେରି ଜୁବାନି”ରେ ଲୋକମାନେ କହିବେ ଯୋଜନାର ସଫଳତା ବିଷୟରେ । ବିକଶିତ ଭାରତ ପାଇଁ ସମସ୍ତେ ନେବେ ସଙ୍କଳ୍ପ । ଗ୍ରାମପଂଚାୟତ ସ୍ତରରେ ସଚେତନତା ରଥର ପରିଭ୍ରମଣକୁ ସଫଳ କରିବା ପାଇଁ ଜନ ଭାଗିଦାରୀକୁ ଗୁରୁତ୍ୱାରୋପ କରାଯିବ । ସରପଂଚ, ସମିତିସଭ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ପ୍ୟାକ୍୍ସ କର୍ମକର୍ା ପ୍ରଭୃତିଙ୍କୁ ସଂଶ୍ଲିଷ୍ଟ କରାଇବାକୁ ଅତିରିକ୍ତ ଜିଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଗ୍ରାମପଂଚାୟତସ୍ତରୀୟ, ବ୍ଲକ୍ ସ୍ତରୀୟ ଓ ଜିଲା ସ୍ତରୀୟ ନୋଡାଲ ଅଫିସର ମନୋନୀତ ହେବା ସହ ଗ୍ରାମପଂଚାୟତ ମାନଙ୍କରେ ସଚେତନତା ରଥର ସ୍ୱାଗତ ନିମନ୍ତେ ଉତ୍ସବ ସମିତି ଓ ସ୍ୱାଗତ ସମିତି ଗଠନ ପାଇଁ ଉପସ୍ଥିତ ବିଡିଓ, ତହସିଲଦାର ଓ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା କରିବା ପାଇଁ ଡାକବିଭାଗ ଓ ଶିକ୍ଷା ବିଭାଗକୁ କୁହାଯାଇଛି । ସଚେତନତା ରଥ ପରିଭ୍ରମଣ ସମୟରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଯୋଜନାର ସଫଳତା ବଖାଣିବା ସହ ସଚେତନତା ରଥର ସ୍ୱାଗତ କରିବେ । “ଧରତୀ କହେ ପୁକାର କେ” ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ଯୁବପୀଢ଼ି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବେ । ସୂଚନାଯୋଗ୍ୟ ଯେ, ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା”ର ଶୁଭାରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *