କିଛି ଦିନର ନୀରବତା ପରେ ପୁଣି ଉପସ୍ଥିତି ଜାହିର୍ କଲା ଲାଲ୍ ବାହିନୀ :

 ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ

ବାଲିଗୁଡ଼ା,୧୮/୦୯/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ବ୍ୟାନର ଜାରୀ କରି ପୁଣିଥରେ ନିଜର ଉପସ୍ଥିତି ଜାହିର କଲା ଲାଲ୍ ବାହୀନି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା,ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର ସକାଳେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଥିବା ଜଣାପଡ଼ିଛି ।

ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଅଧିନସ୍ଥ ସୁଡ୍ରା ଯିବା ରାସ୍ତାର ଡାବୁଡ଼କା ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଆସନ୍ତା ୨୧ ତାରିଖରେ ଲାଲ୍ ବାହୀନି ପାଳୁଛି ୨୯ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ବିପ୍ଳବୀଙ୍କୁ ଉତ୍ସାହିତ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ରହିଛି । ଦୀର୍ଘ ଦିନ ପରେ କେକେବିଏନ୍ ମାଓ ସଙ୍ଗଠନର ଏହି ବ୍ୟାନର ଦେଖି ଅଞ୍ଚଳରେ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି । ସେପଟେ କନ୍ଧମାଳ ପୋଲିସ୍ ପକ୍ଷରୁ ମାଓ ଦମନ ପାଇଁ ଜୋରଦାର୍ ପ୍ରଚେଷ୍ଟା ଚାଲିଥିବା ବେଳେ ଦୀର୍ଘ ଦିନ ପରେ ପୁଣି ଥରେ ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓ ସଙ୍ଗଠନର ନିଜର ଉପସ୍ଥିତି ଜାହିର୍ କରିଛି । ଏହା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।

 

Leave a Reply

Your email address will not be published. Required fields are marked *