ଜଗତସିଂହପୁର ଜିଲ୍ଲାରେ ବାତ୍ୟା “ଅକଭାନ”ପରିସ୍ଥିତି ର ମୁକାବିଲା ନିମନ୍ତେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର,୨୦/୧୧/୨୦୨୬(ଓଡ଼ିଶା ସମାଚାର) –ସାମୁଦ୍ରିକ ବାତ୍ୟା ‘ଅକଭାନ’ ଆଜି ପୂର୍ବାହ୍ନ ରେ ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ତାର ପ୍ରଭାବ କମିବା ସହ ଅପରାହ୍ନ ରେ ଏହା ଅବପାତ ର ରୂପ ନେଇଛି। ଯାହା ଫଳରେ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଶ୍ରୟ ସ୍ଥଳୀ ରେ ପ୍ରଭାବିତ ଲୋକଙ୍କ ସୁରକ୍ଷା କାର୍ଯ୍ୟ ଜିଲ୍ଲା ପ୍ରଶାସନ ଦ୍ବାରା ଜାରି ରହିଛି । ଆଜି ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା ଙ୍କ ସମେତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ , ବାଲିକୁଦା  ର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିବା ସହ ଅତ୍ୟାବଶ୍ୟକ ସୁବିଧା ସୁନିଶ୍ଚିତ କରିଥିଲେ। ପ୍ରଭାବିତ ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ଅନ୍ୟ  ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ତଦାରଖ କରିଛନ୍ତି ।

 ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ସକାଳ ୮ ଘଟିକା ସୁଦ୍ଧା ଜିଲ୍ଲା ରେ  ମୋଟ ୧୭୫୯୯ ଜଣଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ, ବିଭିନ୍ନ ବ୍ଲକ୍ ର ୨୦୩ ଟି ନିରାପଦ ଆଶ୍ରୟସ୍ଥଳୀ ରେ ରଖାଯାଇଛି। ୧୮୪ ଟି ଫ୍ରୀ କିଚେନ ସେଣ୍ଟର୍ ରେ  ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ଏବଂ ସେହି ଆଶ୍ରୟ ସ୍ଥଳୀ ଗୁଡିକରେ ପ୍ରଭାଵିତ ମାନଙ୍କୁ  ଚୁଡା,  ଗୁଡ଼, ପାଣି ବୋତଲ, ପଲିଥିନ୍ ରୋଲ୍ ଯୋଗାଇ ଦିଆଯାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ଲକ୍ ର ସି ଏଚ୍ ସି ରେ ୨୪*୭ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ସ୍ୱାସ୍ଥ୍ୟ ସୁରକ୍ଷା କୁ କେନ୍ଦ୍ର କରି ମହିଳା ଓ କିଶୋରୀ ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଛି ଓ RRT ଟିମ୍ ଦ୍ୱାରା ସ୍ବାସ୍ଥ୍ଯ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଛି।ନିକଟସ୍ଥ CHC କୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ଙ୍କ ମଧ୍ୟରୁ ୬୨ ଜଣ ନିରାପଦ ମାତୃତ୍ୱ ଲାଭ କରିଛନ୍ତି।ଅପରାହ୍ନ ରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଯିବାରୁ କିଛି ଲୋକ ନିଜ ବାସସ୍ଥାନ କୁ ଫେରି ଯାଉଛନ୍ତି ।

ସେହିପରି ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ତିର୍ତ୍ତୋଲ ଅଞ୍ଚଳ ରେ ଉପୁଡ଼ିଯାଇଥିବା ଗଛ କଟାଯାଇ ରାସ୍ତା ପରିଷ୍କାର କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *