ଯାଜପୁର ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟିତ।

ଯାଜପୁର,୨୬/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୁସୁମା ସମ୍ମୁଖସ୍ଥ ପଡିଆଠାରେ ଡିସେମ୍ବର ୨୬ ରୁ ୩୦  ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୁନିଲ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରା, ଜିଲ୍ଲା କୃଷି ଅଧିକାରୀ ଯାଜପୁର ରୋଡ ଅରୁଣ କୁମାର ପାତ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (କୃଷି), କେନ୍ଦ୍ରାପଡ଼ା ସଞ୍ଜୀବ କୁମାର ତ୍ରିପାଠୀ ଯୋଗଦେଇ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ମାଧ୍ୟମରେ ଚାଷୀମାନେ ଚାଷ କ୍ଷେତ୍ରରେ କିପରି ଉନ୍ନତି କରିପାରିବେ ସେ ସମ୍ପର୍କରେ ଏହି ମେଳା ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଏହି କୃଷି ଯନ୍ତ୍ରପାତି ମେଳାରେ କୃଷି ଓ ଆନୁଷଙ୍ଗିକ ବିଭାଗ ଯଥା ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଜଳ ବିଭାଜିକା, ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ, ଇଫକୋ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ମିଶନ ଶକ୍ତି, ଆଇପିଏଲ ସୁଗାର ଆଦି ଅଂଶଗ୍ରହଣ କରିଛନ୍ତି। ଘରୋଇ କୃଷି ଯନ୍ତ୍ରପାତି ବିକ୍ରେତାଙ୍କ ପାଇଁ ୪୨ଟି ମଣ୍ଡପ (ଷ୍ଟଲ୍) ଓ ସରକାରୀ ବିଭାଗ ପାଇଁ ୩୬ଟି ମଣ୍ଡପ (ଷ୍ଟଲ୍) ର ବ୍ୟବସ୍ଥା କରାଯାଇଛି। ଏହି ମଣ୍ଡପ ଗୁଡିକରେ ବିଭାଗୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ତତ୍କାଳ ବୁକିଙ୍ଗ ଓ ବିକ୍ରୟର ବ୍ୟବସ୍ଥା କରାଯାଇଅଛି।

 କୃଷି ମେଳାରେ କୃଷକ ଭାଇ ମାନଙ୍କୁ ବିଭିନ୍ନ ଆଧୁନିକ କୃଷି କୌଶଳ ସମ୍ବନ୍ଧରେ ଅବଗତ କରିବା ପାଇଁ ତାରିଖ ୨୭.୧୨.୨୪ ରୁ ୨୯.୧୨.୨୪ ମଧ୍ୟରେ ୧୨ ଗୋଟି କୃଷକ ବୈଜ୍ଞାନିକ ଆଲୋଚନା ଚକ୍ରର ବ୍ୟବସ୍ଥା କରାଯାଇଛି। କୃଷି କ୍ଷେତ୍ରରେ ଲାଭ ବହୁଗୁଣିତ କରିବା ପାଇଁ କୃଷି ଯାନ୍ତ୍ରିକିକରଣ, କୃଷି କ୍ଷେତ୍ରରେ ସବୁଜ ଶକ୍ତିର ବ୍ୟବହାର, ମହିଳା କୃଷିଜୀବୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିରେ କୃଷି ଯନ୍ତ୍ରପାତି , ନିରନ୍ତର କୃଷି ପାଇଁ ସମନ୍ୱିତ କୃଷି ପଦ୍ଧତି, ସମନ୍ୱିତ ରୋଗପୋକ ପରିଚାଳନା ଓ କୃଷି କ୍ଷେତ୍ରରେ ଡ୍ରୋନ ପ୍ରଯୁକ୍ତିର ବ୍ୟବହାର, ଜଳ ବିଭାଜିକା ପ୍ରକଳ୍ପ ଓ  ଆନୁଷଙ୍ଗିକ ଯନ୍ତ୍ରପାତି ଆଦି ବିଷୟ ଉପରେ ବିଭିନ୍ନ ସମ୍ବଳ ବ୍ୟକ୍ତିଙ୍କ ଦ୍ବାରା   ଆଲୋଚନା ଚକ୍ରର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଆଲୋଚନା ଚକ୍ରରେ ଶହେ ଜଣ କୃଷକ ଅଂଶଗ୍ରହଣ କରିବେ। ଯାଜପୁର ଜିଲ୍ଲାର ସମସ୍ତ ବ୍ଲକରୁ ୧୧୦୦ ଜଣ କୃଷକ ଭାଇ ଭଉଣୀମାନେ ମେଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଅଛି।

ବିଗତ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ରିହାତି ଉପଯୋଗ କରିଥିବା ଘରୋଇ କୃଷି ଯନ୍ତ୍ରପାତି ବିକ୍ରେତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ସେଚାଞ୍ଚଳରେ ଫସଲ ବିବିଧିକରଣ ଯୋଜନା ଆନୁକୁଲ୍ୟରେ ୨୦୨୨-୨୩ ଠାରୁ ୨୦୨୪-୨୫ ମଧ୍ୟରେ ୬୦ ଜଣ ସଫଳ କୃଷକଙ୍କୁ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା କରାଯାଇଅଛି। ଏତଦ୍ ସହିତ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା  ଆନୁକୁଲ୍ୟରେ ୨୦୨୩-୨୪ ବର୍ଷ ପାଇଁ ୪ଜଣ ଅଗ୍ରଣୀ କୃଷକଙ୍କୁ ନୂତନ ଯନ୍ତ୍ରପାତି ସମ୍ବନ୍ଧୀୟ ଉଦ୍ଭାବନଏବଂ ନୂତନ ଚିନ୍ତାଧାରା ପାଇଁ ଅର୍ଥରାଶି ସହ ସମ୍ବର୍ଦ୍ଧିତ କରାଯିବାର ମଧ୍ୟ ବ୍ୟବସ୍ଥା ଅଛି।

୨୦୨୪-୨୫ ଆର୍ଥିକ ବର୍ଷରେ ଅଦ୍ୟାବଧି ୮.୫ କୋଟି ଟଙ୍କାର ରିହାତି ରାଶି କୃଷି ଯନ୍ତ୍ରପାତି କ୍ରୟ ବାବଦକୁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ୪.୫ କୋଟି ଟଙ୍କା ରିହାତିରେ ବିଭିନ୍ନ କୃଷି ଯନ୍ତ୍ରପାତି ସଳଖ ରିହାତି (ଡି.ବି.ଟି) ମାଧ୍ୟମରେ ପ୍ରଦାନ କରାଯିବ। ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ ଦ୍ବାରା ହିତାଧିକାରୀଙ୍କୁ ସଳଖ ରିହାତି ଯୋଜନାରେ ଟ୍ରାକ୍ଟର ଚାବି ମଧ୍ୟ ହସ୍ତାନ୍ତର କରାଯିବ।

 ଏହି କୃଷି ଯନ୍ତ୍ରପାତି ମେଳା ଅବସରରେ ଓଡ଼ିଶା ମିଲେଟ ମିଶନ ଦ୍ବାରା ଏକ ଖାଦ୍ୟ ଉତ୍ସବ କରାଯାଉଛି। ପ୍ରତିଦିନ ପୂର୍ବାହ୍ନ ଦଶରୁ  ରାତି ୯ ଯାଏଁ ପ୍ରଦର୍ଶନ ମଣ୍ଡପ (ଷ୍ଟଲ୍) ଖୋଲା ରହିବ। ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନମାନେ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।

 ଏହି କୃଷି ଯନ୍ତ୍ରପାତି ମେଳାରେ ଅଂଶଗ୍ରହଣକାରୀ କୃଷି ଯନ୍ତ୍ରପାତି ବିକ୍ରେତା, ବିଭାଗ ଏବଂ ଏଫ୍.ଆଇ. ଏ.ସି ଙ୍କୁ ପୁରସ୍କାର ବିତରଣ କରାଯିବ।

Leave a Reply

Your email address will not be published. Required fields are marked *