ମର୍ଦ୍ଦଳ ର ଜଗନ୍ନାଥ ବାଣୀ ରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର

ଭୁବନେଶ୍ୱର, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ବାଦ୍ୟ ବାଣୀ ଗୁରୁକୂଳ ଦ୍ଵାରା ବୃନ୍ଦ ମର୍ଦ୍ଦଳ ବାଦନ ପରିବେଷିତ ହୋଇଥିଲା। ମର୍ଦ୍ଦଳ ହେଉଛି ଓଡ଼ିଆ ଜାତିର ପ୍ରାଣ ପ୍ରଭୁ ଜଗନ୍ନାଥଙ୍କ ଅତି ପ୍ରିୟ ବାଦ୍ୟ ଯନ୍ତ୍ର ଯାହା ଶ୍ରୀ ମନ୍ଦିରରେ ମାଦେଳି ସେବା ରୂପେ ପ୍ରଚଳିତ ଥିଲା। ଏହା ପ୍ରଭୁ ଜଗନ୍ନାଥଙ୍କ ଗୀତ ଗୋବିନ୍ଦ ସେବା, ସଙ୍ଗୀତ ଏବଂ ନୃତ୍ୟ ସହ ବାଦନ କରାଯିବା ସହ ପୁରୀ ତଥା ଓଡ଼ିଶାର ପୁର ପଲ୍ଲୀ ରେ ବିଭିନ୍ନ ପରମ୍ପରା ଯଥା ସାହି ନାଟ, ଗୋଟିପୁଅ, ଓଡ଼ିଶୀ, ଭାଗବତ ଟୁଙ୍ଗୀ, ରାମଲୀଳା, ଭାରତ ଲୀଳା, ପ୍ରହଲ୍ଲାଦ ନାଟକ, ଶଖି ନାଟ ଇତ୍ୟାଦି ରେ ବହୁଳ  ବ୍ୟବହାର ହୁଏ। କିନ୍ତୁ ଏହି ସହଯୋଗୀ ବାଦ୍ୟ ଏବେ ଏକ ସ୍ବତନ୍ତ୍ର ପରିଚୟ ଲାଭ କରି ଏକକ ବାଦ୍ୟ ର ପରମ୍ପରା କ୍ରମେ ଉନ୍ନତି ପଥରେ ଅଗ୍ରସର । ଏହି ବାଦ୍ୟ କୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ବିଶ୍ଵସ୍ତରୀୟ କରିବାରେ କେନ୍ଦ୍ର ଏବଂ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ସମ୍ମାନିତ ଗୁରୁ ଧନେଶ୍ଵର ସ୍ୱାଇଁଙ୍କ ଅବଦାନ ଅତୁଳନୀୟ। ମର୍ଦ୍ଦଳ କୁ ନେଇ ଗୁରୁ ଶ୍ରୀ ସ୍ୱାଇଁ ରାଜାରାଣୀ ସଙ୍ଗୀତ ଉତ୍ସବ ରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ। ତାଙ୍କର ପରିବେଷଣ ଆରମ୍ଭ ହୋଇଥିଲା ଜଗନ୍ନାଥଙ୍କ ଉପରେ ଏକ ଶବ୍ଦ ସ୍ୱର ପାଟ୍ଟ ଯାହା ପୁରା ପରିବେଶକୁ ଜଗନ୍ନାଥ ମୟ କରିଦେଇଥିଲା। ପରେ ପରେ ଜଗନ୍ନାଥ ବାଣୀ ରେ ସଂଯୋଜିତ ଚୌଗତି ବାଦ୍ୟ ଅଳଙ୍କାର, ଛନ୍ଦ ପ୍ରକରଣ, ରଗଡ, ମିଶ୍ର ଓ ଖଣ୍ଡ ଜାତି, ତିଶ୍ର ଏବଂ ଚତୁରଶ୍ର ଛନ୍ଦ ରେ ଆରସା, ଭଉରି ଅରସା, ମାନ, ଧରଣ, ଖଣ୍ଡି, ଗଡ଼ି ଇତ୍ୟାଦି ପରିବେଷଣ କରିଥିଲେ। ଭଗବାନ ଶିବ ଙ୍କ ଉପରେ ଆଧାରିତ ଶବ୍ଦ ସ୍ୱର ପାଟ ଏବଂ ଉକ୍କୁଟ ବୋଲି ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ ଏବଂ ଉଲ୍ଲସିତ କରିଥିଲା। ବୃନ୍ଦ ମର୍ଦ୍ଦଳ ବାଦନ ରେ ଜଗନ୍ନାଥ ବାଣୀ ର ନାଦ ଚାରିଆଡ଼େ ଏକ ଅତ୍ୟନ୍ତ ଉତ୍ସାହ ଏବଂ ସଙ୍ଗୀତମୟ ପରିବେଶ ରଚନା କରୁଥିଲା। ଗୁରୁ ଧନେଶ୍ଵର ସ୍ୱାଇଁ ନିଜର ମାନସ ସନ୍ତାନ ବାଦ୍ୟ ବାଣୀ ଗୁରୁକୂଳ ର ବିଦ୍ୟାର୍ଥି ମାନଙ୍କୁ ନେଇ ଏହି ପରିବେଷଣ କରିଥିଲେ। ସେମାନେ ହେଲେ ଶ୍ରୀ ସୌଭାଗ୍ୟ ନାରାୟଣ ଛୋଟରାୟ, ଶ୍ରୀ ସୀତାକାନ୍ତ ଜେନା, ଶ୍ରୀ ରୋହିତ ପ୍ରଧାନ ଏବଂ ଡ଼ଃ. ବିଭୂତି ଭୂଷଣ ଚମ୍ପତି। ତାଙ୍କ ସହ ବଂଶୀ ରେ ସହଯୋଗ କରୁଥିଲେ ଗୁରୁ ଶ୍ରୀନିବାସ ଶତପଥି ଏବଂ ହାର୍ମୋନିୟମ ରେ ଶ୍ରୀ ଧନେଶ୍ଵର ଓଝା। ଉକ୍ତ କାର୍ଯୟକ୍ରମରେ ଉପସ୍ଥିତ କଳା ପ୍ରେମୀ, ଦର୍ଶକ, ବୁଦ୍ଧିଜୀବି ମର୍ଦ୍ଦଳ ର ଏହି ଦିବ୍ୟ ପରିବେଷଣ ଭୂରି ଭୂରି ପ୍ରଶଂସା କରିବା ସହ ସମସ୍ତ କଳାକାରଙ୍କୁ ଶୁଭେଛା ବାର୍ତ୍ତା ଦେଇଥିଲେ। ଏହି ଭଳି ଜାତୀୟ ସଙ୍ଗୀତ ଉତ୍ସବ ରେ ମର୍ଦ୍ଦଳ କୁ ପରିବେଷଣ କୁ ସୁଯୋଗ ପ୍ରଦାନ କଲେ ଆମ ମର୍ଦ୍ଦଳ ଜଗନ୍ନାଥ ବାଣୀ କୁ ବିଶ୍ୱସ୍ତରରେ ଲୋକପ୍ରିୟ କରିବାରେ ସହାୟକ ହେବ ବୋଲି ଗୁରୁ ଧନେଶ୍ଵର ସ୍ୱାଇଁ ମତ ରଖିଥିଲେ। ରାଜାରାଣୀ ସଙ୍ଗୀତ ଉତ୍ସବ ରେ ମର୍ଦ୍ଦଳ କୁ ସ୍ଥାନ ଦେଇଥିବାରୁ ଗୁରୁ ଧନେଶ୍ଵର ସ୍ୱାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଟି ଡି ଡି ଭାରତୀ ରେ ତା ୧୭/୧୧/୨୦୨୩ ରିଖ , ସନ୍ଧ୍ୟା ୬.୩୦ ରେ ଏବଂ ଡି ଡି ଓଡ଼ିଆ ରେ ରାତି ୯.୦୦ ପ୍ରସାରିତ ହୋଇଥିଲା। ଏହା ମଧ୍ୟ ଡି ଡି ଭାରତୀ, ଡି ଡି ଓଡ଼ିଆ, ଜାତୀୟ ଦୂରଦର୍ଶନ (Doordarshan National),  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ୟୁ ଟ୍ୟୁବ୍ (YouTube) ମାଧ୍ୟମରେ ପ୍ରସାରିତ ହୋଇଥିଲା ଯାହା ଏବେ ବି ମଧ୍ୟ ଉପଲବ୍ଧ ଅଛି।

Leave a Reply

Your email address will not be published. Required fields are marked *